ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶ ପାଠକଙ୍କ ସହ ବିଜେଡି ନେତା ଅରୂପ ପଟ୍ଟନାୟକ ଚାର୍ଟର ପ୍ଲେନ୍‌ରେ ଉଡ଼ିଥିବା କହିଲେ ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ପାଠକ ବାପ-ପୁଅଙ୍କ ସହ ଲିଙ୍କରେ ଥିବା ଆଉ ଜଣେ ନେତାଙ୍କ ନାଁ ଶୁଣିବାକୁ ମିଳିଛି। ଭୁବନେଶ୍ଵରର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଆକାଶଙ୍କ ସହ ଚାର୍ଟାର ପ୍ଲେନ୍‌ରେ ଉଡ଼ିଥିଲେ। ବୁଧବାର ଅରୂପଙ୍କ ନାଁରେ ଏପରି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ପାଠକ ବାପ-ପୁଅଙ୍କର କଳା ସାମ୍ରାଜ୍ୟର ଗୁମର ଦିନକୁ ଦିନ ଫିଟୁଛି। ଏଥିସହ ତାଙ୍କ ସହ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହ ପାଠକ ପରିବାରର ସମ୍ପର୍କ ରହିଥିବା ଜଣାପଡ଼ିଥିଲା।

ପାଠକଙ୍କ ସହ ମିଶି ପ୍ରଦୀପ ମଧ୍ୟ ଅନେକ ଠକେଇ କରିଥିବା ଅଭିଯୋଗ ଆସିଥିଲା। ପ୍ରଦୀପ ଜନବିରୋଧୀ କାର୍ଯ୍ୟରେ ଜଡ଼ିତ ଥିବା ଦର୍ଶାଇ ଦଳ ମୁଖିଆ ତାଙ୍କୁ ଦଳରୁ ବହିଷ୍କୃତ କରିଦେଲେ। ଏବେ ପ୍ରଦୀପଙ୍କ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସରକାରଙ୍କୁ ଜନବିରୋଧୀର ସଂଜ୍ଞା ମାଗିଛନ୍ତି ସୁଜାତା। ଏଥିସହ ପାଠକ ବାପ-ପୁଅଙ୍କ ପରିବାର ସହ ଓଡ଼ିଶାର ଆଉ ଜଣେ ବ୍ୟକ୍ତିଙ୍କ ଲିଙ୍କ ରହିଥିବା କହିଛନ୍ତି ସୁଜାତା।ଚାର୍ଟର ପ୍ଲେନ୍‌ରେ ପ୍ରଦୀପଙ୍କ ସହ ଅରୂପ ପଟ୍ଟନାୟକ ଉଡ଼ିଥିଲେ

ପାଠକ ପରିବାର ସହ ଅରୂପ ପଟ୍ଟନାୟକଙ୍କ ଲିଙ୍କ ଥିବାନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଛନ୍ତି ଯେ, ଆକାଶ ପାଠକଙ୍କ ସହ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମଧ୍ୟ ଚାର୍ଟର ପ୍ଲେନ୍‌ରେ ଉଡ଼ିଥିଲେ। ଜୁଲାଇ ୧୧ରେ ଭୁବନେଶ୍ଵରରୁ ଏହି ଫ୍ଲାଇଟ୍ ମୁମ୍ଵାଇ ଯାଇଥିଲା। ପୁନେରେ ଆକାଶଙ୍କୁ ଛାଡ଼ି ଏହା ମୁମ୍ଵାଇ ଯାତ୍ରା କରିଥିଲେ ଅରୂପ। ଏଥିରେ ଆକାଶଙ୍କ ସହ ଅରୂପ ପଟ୍ଟନାୟକ, ଶ୍ରୁତି ପାଣିଗ୍ରାହୀ ଏବଂ ତାଙ୍କର କିଛି ଷ୍ଟାଫ୍ ରହିଥଲେ।

କରୋନା ମହାମାରୀ ସମୟରେ ଚାର୍ଟର ପ୍ଲେନ୍‌ରେ ଉଡ଼ିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମ ଜିଲ୍ଲା କରୋନାରେ ବେଶି ପ୍ରଭାବିତ ହୋଇଥିବା ବେଳେ ଜନତାଙ୍କ ସହ ନ ରହି ବିଧାୟକ ଆକାଶରେ ଉଡୁଥିଲେ। ତେଣୁ ଦଳ ତାଙ୍କୁ ଜନବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ଦଳରୁ ବହିଷ୍କାର କରିଛି। ଅରୂପ ପଟ୍ଟନାୟକ ମଧ୍ୟ କରୋନା ସମୟରେ ଚାର୍ଟରରେ ଉଡ଼ିଥିଲେ। ତେବେ ଏହା କେଉଁ ପ୍ରକାର କାର୍ଯ୍ୟ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରହୀ।

“କରୋନା ମହାମାରୀ ସମୟରେ ଚାର୍ଟର ପ୍ଲେନ୍‌ରେ ଉଡ଼ିବା ଯଦି ଜନବିରୋଧୀ କାର୍ଯ୍ୟ ତେବେ ଅରୂପଙ୍କ ପାଇଁ ତାହା ଲାଗୁ ହେବ କି। ଜନବିରୋଧୀ କାର୍ଯ୍ୟର ସଂଜ୍ଞା କ’ଣ”, କହିଛନ୍ତି ସୁଜାତା ପାଣିଗ୍ରାହୀ।

Comment