ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ଫୋନ ଏବଂ ଅଡିଓକୁ ମାଧ୍ୟମ କରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷଣ ଦକ୍ଷତା ବଢ଼ାଇବା ଲାଗି ‘ମୋ ସ୍କୁଲ’ ଏକ ନୂଆ ଉଦ୍ୟମ ଆରମ୍ଭ କରିଛି। ଡିଜିଟାଲ୍‌ ଲର୍ଣ୍ଣିଂ କମ୍ପାନି ‘ଥିଙ୍କ୍‌ ଜୋନ୍‌‌’ର ବୈଷୟିକ ସହଯୋଗରେ ରାଜ୍ୟର ୩ଟି ଜିଲ୍ଲାରେ ଏହି ପାଇଲଟ କାର୍ଯ୍ୟକ୍ରମ ନଭେମ୍ବର ପହିଲାରୁ ଆରମ୍ଭ ହୋଇଛି। ଏଥିପାଇଁ ଆଦାନି ଫାଉଣ୍ଡେସନ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଆଗେଇ ଆସିଛି।

ଏହି ଶିକ୍ଷଣ କାର୍ଯ୍ୟକ୍ରମରେ ମେସେଜ ଓ ଅଡିଓ ଜରିଆରେ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରାଯାଉଛି। ସିଧାସଳଖ ପାଠ ନପଢ଼ାଇ ମଜାଦାର ଶୈଳୀରେ ଗଣିତ ଓ ମାତୃଭାଷା ବିଷୟକୁ ଅଡିଓ କଣ୍ଟେଣ୍ଟ୍ ମାଧ୍ୟମରେ ଉପସ୍ଥାପନ କରାଯାଉଛି। ସାନ ସାନ ପିଲାଙ୍କ କ୍ଷେତ୍ରରେ ଅଭିଭାବକମାନେ ନିଜେ ମୋବାଇଲ ଧରି ପିଲାଙ୍କୁ ସାହାଯ୍ୟ କରୁଛନ୍ତି। ଭଲ ଭାବେ ଇଣ୍ଟରନେଟ୍ ଆସୁନଥିବା ଅଞ୍ଚଳରେ ମଧ୍ୟ ଏହି ସେବା ଚାଲୁ ରହିପାରିବ।

ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ ଖୋର୍ଦ୍ଧା, କଟକ ଓ ଭଦ୍ରକ ଜିଲ୍ଲାର ଗୋଟିଏ ଲେଖାଁଏ ବ୍ଲକ୍‌‌ରେ ଏହା ଆରମ୍ଭ ହୋଇଛି। ଗୋଟିଏ କ୍ଲଷ୍ଟରରେ ୧୫ଟି ସ୍କୁଲ ରହିଥିବା ବେଳେ ମୋଟ ୭ଟି କ୍ଲଷ୍ଟରରେ ଏହା ପହଞ୍ଚିଛି। ୩ ମାସ ପାଇଁ ପରୀକ୍ଷାମୂଳକ ଭାବେ କରାଯାଉଥିବା ଏହି କାର୍ଯ୍ୟକ୍ରମକୁ ପରବର୍ତ୍ତୀ ସମୟରେ ବ୍ୟାପକ କରିବାକୁ ଯୋଜନା ରଖାଯାଇଛି।

ପିଲାଙ୍କ ପାଇଁ ଥିଙ୍କ୍‌ଜୋନ୍‌ ବିଭିନ୍ନ ଅଡିଓ ପ୍ରସ୍ତୁତ କରିଛି। ବୟସ ଅନୁସାରେ ଶିଶୁର ଦକ୍ଷତାର ସ୍ତର ବୃଦ୍ଧି କରିବା ଏହାର ଲକ୍ଷ୍ୟ। ଏହି ଅଡିଓ ପାଠ୍ୟକ୍ରମକୁ ଏସ୍‌‌ସିଇଆର୍‌‌ଟି ଅନୁମୋଦନ କରିଛି। ଏହି ହୋମ୍ ବେସ୍‌ଡ ଲର୍ଣ୍ଣିଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି ଏବଂ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି।

କୋଭିଡ୍‌ ପାଇଁ ପିଲାମାନେ ଘରେ ରହିଛନ୍ତି। ସେମାନଙ୍କୁ ବିଭିନ୍ନ ଡିଜିଟାଲ୍‌ ମାଧ୍ୟମରେ ଯୋଡ଼ି ଶିକ୍ଷାଦାନ ପ୍ରକ୍ରିୟାକୁ ନିରନ୍ତର ରଖିବାକୁ ସରକାର ଉଦ୍ୟମ କରୁଛନ୍ତି। କୋଭିଡ୍‌ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ପିଲାଙ୍କୁ ସ୍କୁଲ ପାଠ୍ୟକ୍ରମ ସାଙ୍ଗରେ ଯୋଡ଼ି ରଖିବା ସହ ସେମାନଙ୍କ ଦକ୍ଷତାର ସ୍ତର ବଢ଼ାଇବ।

(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

Comment