ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନଳକୂପକୁ ଛୁଇଁଲେ ମାରୁଛି କରେଣ୍ଟ। ଯେଉଁ କାରଣରୁ ଗତ ୧୫ ଦିନ ହେଲା ୬୦ଟି ପରିବାର ପାଣି ପାଇଁ ଡହଳବିକଳ ହେଉଛନ୍ତି। ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଭତ୍ରା ସିୟୁନି ପଞ୍ଚାୟତର କୁଲୁରୁଗୁଡା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ଏହି ଗାଁରେ ପାଖାପାଖି ୬୦ଟି ପରିବାର ବସବାସ କରୁଛନ୍ତି। ଏମାନେ ସମସ୍ତେ ପାନୀୟ ଜଳ ପାଇଁ ସେଠାରେ ଥିବା ଏକ ନଳକୂପ ଉପରେ ହିଁ ଭରସା କରିଥାନ୍ତି। ହେଲେ ୧୫ ଦିନ ହେବ ଏହି ନଳକୂପକୁ ଛୁଇଁଲେ ଲୋକଙ୍କୁ କରେଣ୍ଟ ମାରୁଛି। ଗାଁ’ର କିଛି ଲୋକ ଏହି ବିଦ୍ୟୁତ ଆଘାତର ଝଟକା ମଧ୍ୟ ଖାଇସାରିଲେଣି।ଏହି ନଳକୂପରେ ଲୋକମାନେ ଟେଷ୍ଟର ଲଗେଇଲେ ଏଥିରୁ ବିଦ୍ୟୁତ ବାହାରୁଥିବା ଦେଖିବାକୁ ମିଳୁଛି। ତେଣୁ ଲୋକମାନେ ଭୟରେ ଏବେ ସେହି ନଳକୂପରୁ ପାଣି ଆଣିବା ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ପିଇବା ପାଣି ପାଇଁ ଗାଁରେ ଅନ୍ୟ କିଛି ସୁବିଧା ନଥିବାରୁ ଲୋକମାନେ ଏବେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏନେଇ ଜିଲ୍ଲା ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କୁମାରୀ ପ୍ରିୟଦର୍ଶନୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ନଳକୂପ ଭିତରେ କୌଣସି ମଟର ଲାଗିନାହିଁ। ଏହାର କାରଣ ଜାଣିବାକୁ ସେଠାକୁ ଏକ ଟିମ ପଠାଯିବ। ରିପୋର୍ଟ ଆସିବା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

Comment