ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବାସେଳୀ ସାହି ଥାନା ଅଧିକାରୀ ଜିବାନନ୍ଦ ଜେନାଙ୍କ ବଦଳି। ରବିବାର ଜିବାନନ୍ଦଙ୍କୁ ବାସେଳୀ ସାହି ପୋଲିସ ଷ୍ଟେସନରୁ ପୁରୀ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଞ୍ଜୀବ କୁମାର ପ୍ରଧାନଙ୍କୁ ବାସେଳୀ ସାହି ପୋଲିସ ଷ୍ଟେସନର ନୂଆ ଥାନାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଏହାସହ ଜିଲ୍ଲାର ଅନ୍ୟ କିଛି ଥାନାଧିକାରୀଙ୍କର ମଧ୍ୟ ବଦଳି କରାଯାଇଛି। ଆଇଆଇସି କୁଳମଣୀ ସେଠୀଙ୍କୁ ବଳିଆପଣ୍ଡା ପୋଲିସ ଷ୍ଟେସନକୁ, ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନା ଓ ବିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡ଼ା ପୋଲିସ ଷ୍ଟେସନର ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ତାରିଖରେ ପୁରୀ ଜିଲ୍ଲା ବାସେଳୀ ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। କେ ରମେଶ ନାମକ ଜଣେ ବ୍ୟକ୍ତି ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଧାନସଭା ବି ହୁଲସ୍ତୁଲ ହୋଇଥିଲା।

ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ଭୁବନେଶ୍ୱର ପୋଲିସ ମୁଖ୍ୟାଳୟକୁ ଫେରାଇ ଅଣାଯାଇଥିଲା। ତାଙ୍କ ଜାଗାରେ ସମ୍ବଲପୁର ଏସପି କେ ବିଶାଲ ସିଂହଙ୍କୁ ପୁରୀର ଦାୟିତ୍ୱ ଦିଆଯାଇଥିଲା।

ତା ସହିତ ବାସେଳୀ ସାହି ଥାନାର ସବ-ଇନସ୍ପେକ୍ଟର ବିପ୍ଲବ କୁମାର ପ୍ରଧାନ ଏବଂ ଦୁଇ କନଷ୍ଟେବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାକୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

Comment