ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ଆମେରିକୀୟ ଫାର୍ମା କମ୍ପାନି ଫାଇଜର। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ)କୁ ଚିଠି ଲେଖି ଫାଇଜର ଏହି ଅନୁମତି ମାଗିଛି।

ଆମେରିକୀୟ ଫାର୍ମା କମ୍ପାନି ଫାଇଜର ନିଜର ସାଥୀ ବାୟୋଟେକ୍ କମ୍ପାନି ସହ ମିଶି କରୋନା ଟିକାକୁ ବିକଶିତ କରିବାରେ ଲାଗିଛି। ଯାହାକୁ ଫାଇଜର୍ ଟିକା ବୋଲି କୁହାଯାଉଛି। କମ୍ପାନି ଗତ ୪ ତାରିଖରେ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇଙ୍କୁ ଚିଠି ଲେଖିଛି। ଭାରତରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ କମ୍ପାନିକୁ ଅନୁମତି ମିଳିଲେ କରୋନା ସଂକ୍ରମଣକୁ କମାଯାଇପାରିବ ବୋଲି କୁହାଯାଉଛି।Pfizerବ୍ରିଟେନରେ ମିଳିଛି ଅନୁମତି

ଫାଇଜର-ବାୟୋଟେକର କରୋନା ଟିକାକୁ ବ୍ୟବହାର ପାଇଁ ଗତ ଡିସେମ୍ବର ୨ ତାରିଖରେ ବ୍ରିଟେନ ଅନୁମତି ଦେଇଛି। ସେଠାକାର ମେଡିସିନ ଏବଂ ହେଲଥକେୟାର ରେଗୁଲେଟୋରୀ ଅଥୋରିଟି ଫାଇଜରକୁ ଏହି ଅନୁମତି ପ୍ରଦାନ କରିଛନ୍ତି। କୁହାଯାଉଛି ବ୍ରିଟେନରେ ଆଗାମୀ ସପ୍ତାହରୁ ଟିକାକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇପାରେ।

ବାହାରିନ ବି ଦେଇଛି ଅନୁମତି

ବ୍ରିଟେନ ପରେ ଦ୍ୱିତୀୟ ଦେଶ ଭାବେ ବାହାରିନ୍ ମଧ୍ୟ ଫାଇଜର କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଗତ ଡିସେମ୍ବର ୪ ତାରିଖରେ ବାହାରିନ୍ ସରକାରଙ୍କ ତରଫରୁ ଫାଇଜରକୁ ଏହି ଅନୁମତି ମିଳିଛି। ତେବେ ଏଠାରେ ଟିକାକରଣ ପ୍ରକ୍ରିୟ କେବେ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ହୋଇନି।

୯୫% ସଫଳ ଫାଇଜର ଟିକା

ଆମେରିକୀୟ କମ୍ପାନି ଫାଇଜର ଓ ଜର୍ମାନ କମ୍ପାନି ବାୟୋଟେକ୍ ଦ୍ୱାରା ବିକଶିତ ଏହି ଟିକା ୯୫ ପ୍ରତିଶତ ସଫଳ ବୋଲି କୁହାଯାଇଛି। ତା’ସହିତ ଏହାର ପରୀକ୍ଷଣ ସମୟରେ ମଧ୍ୟ କୌଣସି ପ୍ରକାର ଅସୁବିଧା ନଜର ଆସିନି। ତେଣୁ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଦେଶମାନେ ଅନୁମତି ଦେଉଥିବା ଜଣାପଡ଼ିଛି। ଏହି ଟିକାକୁ ବିଯୁକ୍ତ ୭୦ ଡିଗ୍ରୀ ସେଲିସିୟସରେ ରଖିବାକୁ ପଡ଼ିଥାଏ।

Comment