ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷର ତାପମାତ୍ରାକୁ ନେଇ ଓ୍ୱାର୍ଲ୍ଡ ମେଟେରୋଜିକାଲ ଅର୍ଗନାଇଜେସନ ପକ୍ଷରୁ ପ୍ରକାଶିତ ଷ୍ଟେଟ୍ ଅଫ୍ ଦି ଗ୍ଲୋବାଲ କ୍ଲାଇମେଟ-୨୦୨୦ ରିପୋର୍ଟ ପ୍ରକାଶ ପାଇଛି। ଯଦି ତାପମାତ୍ରାରେ କିଛି ହ୍ରାସ ନ ପାଏ ତେବେ ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ କରିବ।

ବିଭିନ୍ନ ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥା ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଭୂପୃଷ୍ଠର ତାପମାନ ମଧ୍ୟ ବୃଦ୍ଧି ପାଇଛି। ଅନ୍ୟବର୍ଷ ତୁଳନାରେ ଭୂପୃଷ୍ଠର ହାରାହାରି ତାପମାତ୍ରା ୯ ଡିଗ୍ରି ସେଲସିୟସ ବୃଦ୍ଧି ପାଇଛି। ଜାନୁଆରି,ଏପ୍ରିଲ, ମେ’, ଜୁନ, ଜୁଲାଇ ଓ ସେପ୍ଟେମ୍ବରରେ ମଧ୍ୟ ତାପମାତ୍ରା ଅନ୍ୟ ବର୍ଷଗୁଡ଼ିକ ତୁଳନାରେ ଅଧିକ ଥିଲା।

ତାପମାତ୍ରା ଓ ଜଳବାୟୁ ଦୃଷ୍ଟିରୁ ମଧ୍ୟ ୨୦୨୦ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବର୍ଷ ବୋଲି କହିଛନ୍ତି ଓ୍ୱାର୍ଲ୍ଡ ମେଟେରୋଲିଜିକାଲ ଅର୍ଗାନାଇଜେନସନର ମହାସଚିବ ପେଟେରି ଟଲାସ। ବିଶ୍ୱତାପନ ହ୍ରାସ ପାଇଁ ଅଙ୍ଗାରକାମ୍ଲ ନିର୍ଗମନ ଉପରେ ଅଧିକ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସାଧାରଣତଃ ନଭେମ୍ବର ଡିସେମ୍ବରରେ ଅଧିକ ଥଣ୍ଡା ରୁହେ। ହେଲେ ରେକର୍ଡ ଅନୁସାରେ ୧୯୮୧ ରୁ ୨୦୨୦ ପର୍ଯ୍ୟନ୍ତ ତାପମାତ୍ରାକୁ ହିସାବକୁ ନେଲେ ଗତ ନଭେମ୍ବରରେ ତାପମାତ୍ରା ୭୭ ଡିଗ୍ରି ସେଲସିୟସ (୧.୪ ଏଫ୍) ଅଧିକ ରହିଛି।

ଖାଲି ତାପମାତ୍ରା ଦୃଷ୍ଟିରୁ ୨୦୨୦ରେକର୍ଡ କରିବ ତାହା ନୁହେଁ, ବାତ୍ୟା, ବନ୍ୟା ଦୃଷ୍ଟିରୁ ମଧ୍ୟ ଏ ବର୍ଷ ବିଶ୍ୱପାଇଁ ବହୁତ କ୍ଷତିକାରକ ହୋଇଥିଲା। ବିଶ୍ୱର ବିଭିନ୍ନ ଦେଶରେ ମରୁଡ଼ି ହୋଇଥିଲା। ଭାରତର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁ ବାରମ୍ବାର ଫସଲ ନଷ୍ଟ ହୋଇଛି। ଅମ୍ଫାନ ଯୋଗୁ ମଧ୍ୟ ବହୁତ କ୍ଷୟକ୍ଷତି ହୋଇଥିଲା। ଅଧିକ ତାପମାତ୍ରା ଯୋଗୁ ଚଳିତବର୍ଷ ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗି ବହୁତ କ୍ଷତିହୋଇଥିଲା। ବିସ୍ତୀର୍ଣ୍ଣ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଯନ୍ତୁ ମଧ୍ୟ ପ୍ରାଣ ହରାଇଥିଲେ। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁ ସାଇବେରିଆରୁ ପକ୍ଷୀମାନେ ଅନ୍ୟତ୍ର ଆସିବାରେ ବିଳମ୍ବ କରିଥିଲେ।

ଓଡ଼ିଶାର ଚିଲିକା ଓ ଭିତରକନିକାକୁ ବିଦେଶରୁ ପକ୍ଷୀ ଆସିବା ବି ଏଥର ଡେରି ହୋଇଛି। ଆଉ ଆସନ୍ତାବର୍ଷ ଶୀଘ୍ର ଗରମ ଆସୁଥିବାରୁ ପକ୍ଷୀ ଶୀଘ୍ର ଫେରିଯିବାର ସମ୍ଭାବନା ମଧ୍ୟ ରହିଛି। ଏହାଦ୍ୱାରା ଜୈବ ବିବିଧତା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ତାପମାତ୍ରା ଯୋଗୁ ବରଫ ତରଳିଛି, ସମୁଦ୍ରରେ ଜଳପତ୍ତନ ମଧ୍ୟ ବୃଦ୍ଧିପାଇଛି।

Comment