ଓଡ଼ିଶାଲାଇଭ୍ ବ୍ୟୁରୋ

ମାସ୍କ,ପିପିଇ କିଟ୍ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ।

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମାସ୍କ ଓ କୋଭିଡ୍ ସାମଗ୍ରୀ କିଣା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ଅଧିକାରୀଙ୍କୁ ନେଇ ଏହି ତଦନ୍ତ ହେବ ବୋଲି ସୋମବାର ଲୋକାୟୁକ୍ତ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆସନ୍ତା ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ଏହି ମାମଲାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ବିଭାଗକୁ କୁହାଯାଇଛି।

ଜଷ୍ଟିସ୍ ଅଜିତ ସିଂହ ଓ ଜଷ୍ଟିସ୍ ବି କେ ନାୟକଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ମାମଲା ଦାୟର କରିଥିବା ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ ଓ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ମଧ୍ୟ ଉପସ୍ଥିତ ଥିଲେ। ଦୁଇଟି ଆବେଦନ ଗୋଟିଏ ଘଟଣା ଉପରେ ହୋଇଥିବାରୁ ଲୋକାୟୁକ୍ତ ଯୁଗ୍ମ ଭାବେ ଏହାର ଶୁଣାଣି କରିଥିଲେ।ଏହି ସମୟରେ ତତ୍କାଳୀନ କ୍ରୟ କମିଟିର ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ନିକଟରେ ପୁନର୍ବାର ହାଜର ହୋଇ ନିଜର ଉତ୍ତର ରଖିଥିଲେ।

ଏହି ମାମଲାର ବିଚାର କରି ଲୋକାୟୁକ୍ତ କହିଛନ୍ତି ଯେ, କୋଭିଡ୍ ସମୟରେ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ‌ଜାଣିବା ଲୋକଙ୍କ ଅଧିକାର ଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଣା ଯାଇଥିବା ମାସ୍କ ଓ ଅନ୍ୟ କୋଭିଡ୍‌ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ପ୍ରକୃତ ଘଟଣା ସମ୍ପର୍କରେ ଜାଣିବା ଲାଗି ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ଲୋକାୟୁକ୍ତ କହିଛନ୍ତି।

“ଏହି ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ହେବା ଲୋକତନ୍ତ୍ରର ବିଜୟ ବୋଲି କୁହାଯାଇପାରିବ। ଲୋକାୟୁକ୍ତଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି ଅଛୁ। କୋଭିଡ୍ କାଳରେ ମାସ୍କ ଓ ପିପିଇ କିଟ୍ କିଣାକୁ ନେଇ ଯେଉଁ ଦୁର୍ନୀତି ହୋଇଛି ତାହାର ପର୍ଦ୍ଦାଫାସ୍ ହେବା ନିହାତି ଦରକାର। ଏହାଦ୍ୱାରା ପ୍ରକୃତ ସତ ବାହାରକୁ ଆସିପାରିବ।”, କହିଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ।

କୋଭିଡ୍ ସମୟରେ ରାଜ୍ୟ ସରକାର ମାସ୍କ, ପିପିଇ କିଟ୍‌, କୋଭିଡ୍‌ ପରୀକ୍ଷା କିଟ୍‌ ଆଦି ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏପ୍ରିଲ ୧୫ତାରିଖରେ ରାଜ୍ୟ ସରକାରଙ୍କ ଔଷଧ ନିଗମ ଗୋଟିଏ କମ୍ପାନିରୁ ୫ଲକ୍ଷ ମାସ୍କ ମାତ୍ର ୧୦ଟଙ୍କାରେ କିଣିଥିଲା। ଏହାର ଗୋଟିଏ ଦିନ ପରେ ଏପ୍ରିଲ ୧୭ ତାରିଖରେ କିନ୍ତୁ ସେହି ମାସ୍କକୁ ତାମିଲନାଡୁର ଏକ ଘରୋଇ କମ୍ପାନିରୁ ରାଜ୍ୟ ସରକାର ୧୬ ଟଙ୍କାରେ କିଣିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।

ଏହାପୂର୍ବରୁ ଲୋକାୟୁକ୍ତ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ କହିଥିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ଏକ ଚିଠି ଜରିଆରେ କୋଭିଡ୍‌ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କ’ଣ ଦାୟିତ୍ୱ ଦିଆଯାଇଥିଲା ତାହାର ଉତ୍ତର ରଖିଥିଲେ। ଏହାପରେ ଲୋକାୟୁକ୍ତ ଏହି ମାମଲାର ବିଚାର କରି ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment