ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ଆରମ୍ଭ ହେଲା କରୋନା ଟିକାକରଣ। ପ୍ରଥମ ବ୍ୟକ୍ତି ଭାବେ ଫାଇଜର-ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଲେ ୯୦ ବର୍ଷୀୟ ବୃଦ୍ଧା ମାର୍ଗାରେଟ୍ କେନନ।

ଗତ ଡିସେମ୍ବର ୨ ତାରିଖରେ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଓ ଜର୍ମାନ କମ୍ପାନି ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍ ଅନୁମତି ଦେଇଥିଲା। ଏହାପରେ ଆଜିଠୁ ସେଠାରେ ସାମୂହିକ ଟିକାକରଣ ଆରମ୍ଭ ହୋଇଛି। ସେଠାରେ ଥିବା ଏକ ମେଡିକାଲ୍ କଲେଜରେ ଏହି ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି।

“ପ୍ରଥମେ କରୋନା ଟିକା ନେଇଥିବାରୁ ମୁଁ ବହୁତ ଖୁସି। କୋଭିଡ୍ ବିରୋଧ ଯୁଦ୍ଧରେ ବ୍ରିଟେନ୍ ନିଶ୍ଚିୟ ବିଜୟୀ ହେବ”, କହିଛନ୍ତି ପ୍ରଥମ କରୋନା ଟିକା ନେଇଥିବା ମାର୍ଗାରେଟ୍ କେନନ।ଏଥିସହିତ ବ୍ରିଟେନ୍ ପବ୍ଲିକ୍ ହେଲଥ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ଯେଉଁମାନେ ଅଧିକ ବିପଦଗ୍ରସ୍ତ ସେମାନଙ୍କୁ ଟିକା ଦିଆଯିବ। ଏହାପରେ ଦେଶର ଅନ୍ୟ ନାଗରିକମାନଙ୍କୁ ଟିକାକରଣ କରାଯିବ। ପ୍ରଥମେ ଦେଶର ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ଏହାପରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବ୍ରିଟେନ ପାଇଁ ମୋଟ ୮ ଲକ୍ଷ ଡୋଜ୍ ପ୍ରସ୍ତୁତ କରାଯାଇଛି। ଯାହାକୁ ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ବୃଦ୍ଧ ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଅନ୍ୟ ଲୋକମାନେ ସେମାନଙ୍କ ପାଳିକୁ ଅପେକ୍ଷା କରିବାକୁ କୁହାଯାଇଛି।ଅନ୍ୟପଟେ ରାଣୀ ଏଲିଜାବେଥ୍ ଓ ତାଙ୍କ ସ୍ୱାମୀ ପ୍ରଥମେ କରୋନା ଟିକା ନେବେ ବୋଲି ସୂଚନା ପ୍ରକାଶ ପାଉଥିଲା ତାହା ଏପର୍ଯ୍ୟନ୍ତ ହୋଇନାହିଁ। ରାଣୀ ଏଲିଜାବେଥ୍ ଏପର୍ଯ୍ୟନ୍ତ କୌଣସି କରୋନା ଟିକା ନେଇନାହାନ୍ତି। ତେବେ ଖୁବଶୀଘ୍ର ସେ ସାର୍ବଜନୀନ ଭାବେ କରୋନା ଟିକା ଗ୍ରହଣ କରିବେ ବୋଲି ସୂଚନା ମିଳୁଛି।

ୟୁରୋପୀୟ ଦେଶମାନଙ୍କରେ ଶୀତ ବଢ଼ିବା ସହିତ କରୋନାର ପ୍ରଭାବ ବଢ଼ିଚାଲିଥିଲା। ବିଶେଷକରି ବ୍ରିଟେନରେ ଏହାର ପ୍ରଭାବ ଅଧିକ ଥିଲା। ସେଠାରେ ୧୭ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୧ ହଜାରରୁ ଅଧିକ ରୋଗୀ ମୃତ୍ୟୁବରଣ କରିଥିଲେ। ତେଣୁ ଏହି ଟିକାକରଣ ବ୍ରିଟେନରେ ସଂକ୍ରମଣ କମାଇବାକୁ ବେଶ ସହାୟକ ହେବ ବୋଲି କୁହାଯାଉଛି।

Comment