ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ପ୍ରକାରର କ୍ରିକେଟରୁ ବିଦାୟ ନେଲେ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ। ଦୀର୍ଘ ୧୮ ବର୍ଷର କ୍ରିକେଟ ଯାତ୍ରାକୁ ଶେଷରେ ଅଲବିଦା କହିଛନ୍ତି ପାର୍ଥିବ। କ୍ରିକେଟକୁ ବାଏ ବାଏ କହିଥିବା ନେଇ ବୁଧବାର ଏକ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପାର୍ଥିବ।୩୫ ବର୍ଷିୟ ପାର୍ଥିବ ଉଭୟ ଓ୍ଵିକେଟ କିପିଂ ଏବଂ ବ୍ୟାଟିଂ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆର ଜଣେ ଦମ୍‌ଦାର ଖେଳାଳି ହୋଇପାରିଥିଲେ। ୨୦୧୮ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ଏହାପରେ ତାଙ୍କୁ ଘରୋଇ ମ୍ୟାଚ୍‌ ଏବଂ ଆଇପିଏଲରେ ଖେଳିବାର ଦେଖାଯାଇଥିଲା।

ବୁଧବାର ସବୁ ପ୍ରକାର କ୍ରିକେଟରୁ ବିଦାୟ ଘୋଷଣା କରି ପାର୍ଥିବ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ, ୧୭ ବର୍ଷର ଏକ ଛୋଟ ପିଲାକୁ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବାର ସୁଯୋଗ ଦେଇ ପ୍ରୋତ୍ସାହିତ କରିଥିବାରୁ ବିସିସିଆଇ ପାଖରେ ମୁଁ ଋଣୀ।ସେହିପରି ତାଙ୍କ କ୍ରିକେଟ ଜୀବନର ପ୍ରଥମ କ୍ୟାପଟେନ୍‌ ଦାଦା (ସୌରଭ ଗାଙ୍ଗୁଲି)ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କ୍ରିକେଟ ମଇଦାନରେ ତାଙ୍କ ସାଥ୍ ଦେଇଥିବା ସମସ୍ତ ସାଥୀ ଖେଳାଳି, ଆଇପିଏଲ ଫ୍ରାଞ୍ଚାଇଜ ଦଳକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।୨୦୦୨ ମସିହାରେ ମାତ୍ର ୧୭ ବର୍ଷ ବୟସରୁ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ ପାର୍ଥିବ ପଟେଲ। ୧୮ ବର୍ଷର ତାଙ୍କର କ୍ରିକେଟ କ୍ୟାରିଅର ମଧ୍ୟରେ ପାର୍ଥିବ ଟିମ୍‌ ଇଣ୍ଡିଆ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍, ୩୮ଟି ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେହିପରି ଆଇପିଏଲରେ ସେ ଶେଷଥର ବେଙ୍ଗାଳୁରୁ ଦଳ ପାଇଁ ମନୋନିତ ହୋଇ ଦୁବାଇ ଯାଇଥିଲେ।

Comment