ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ କୃଷି ଆଇନକୁ ନେଇ ସାରା ଦେଶରେ ଏବେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ଏପରି ମୁହୁର୍ତ୍ତରେ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏମଏସ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବା ନେଇ ବୁଧବାର ରାଜ୍ୟରେ ବସିଥିବା କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଚାଷୀଙ୍କ ଆୟ ଦୁଇ ଗୁଣିତ ପାଇଁ ଏମଏସପିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି। ତେଣୁ ଉତ୍ପାଦନ ମୂଲ୍ୟଠାରୁ ଏମଏସପି ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ କୁହାଯାଇଛି।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖାକୁ ସହଜ କରିବା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି କୁଳପତିଙ୍କ ସ୍ଥାନରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷଭାବେ ନିୟୋଜିତ କରାଯିବ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଏହି କମିଟିର ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଯାନ୍ତ୍ରିକ ସେବା ବର୍ଗର ପୁନର୍ବିନ୍ୟାସ କରିବା ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବୀ ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ବରଗଡ଼ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଫୁଲବାଣୀରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, କୋରାପୁଟ ମେଡିକାଲ କଲେଜ ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି।ନୂଆ କୃଷି ବିଲକୁ ନେଇ ସାରା ଦେଶରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ। ଜାତୀୟ ରାଜଧାନୀ ଦିଲ୍ଲୀରେ ଜୋରଦାର ହେଉଛି ବିକ୍ଷୋଭ। ଏକାଧିକଥରର ଆଲୋଚନା ପରେ ମଧ୍ୟ କିଛି ବି ନିଷ୍କର୍ଷ ବାହାରି ପାରୁନି। ଏହି ଆନ୍ଦୋଳନରେ କୃଷକମାନଙ୍କୁ ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି। ତେବେ ଆଜି ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ ସରକାର କୃଷକଙ୍କ ସମର୍ଥନରେ ରହିଥିବା ନେଇ ସିଧା ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି।

Comment