ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ‘ପରୀ’ମୃତ୍ୟୁ ଘଟଣାରେ ସ୍ଥାନୀୟ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଯଦି ସରପଞ୍ଚଙ୍କ ପ୍ରତି କୌଣସି ଭୟ ଥିବାର ଆଶଙ୍କା ରହିଥାଏ ତାହେଲେ ଏସ୍‌ପି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ଅଧ୍ୟାଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି ଆର ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଧ୍ୟାଦେଶରେ ହାଇକୋର୍ଟ କହିଛନ୍ତି ଯେ, ଏହି ପିଟିସନ୍‌ରୁ ଜୀବନପ୍ରତି ଭୟ ଥିବା ନେଇ ଯାହା କୁହାଯାଇଛି ତାହା ସ୍ପଷ୍ଟ ଜଣାପଡୁନି। ଯାହା କେବଳ ଆଶଙ୍କା କରାଯାଉଛି। ତଥାପି ଆବେଦନକାରୀ ଅଦାଲତଙ୍କ ଅଧ୍ୟାଦେଶ ପାଇବାର ୧୫ଦିନ ମଧ୍ୟରେ ଏସ୍‌ପିଙ୍କୁ ରିପ୍ରେଜେଣ୍ଟେସନ୍ ପ୍ରଦାନ କରିବେ। ଏହି ରିପ୍ରେଜେଣ୍ଟେସନ୍ ଦେବାର ଗୋଟିଏ ସପ୍ତାହ ମଧ୍ୟରେ ଏସ୍‌ପି ଏହାର ଅନ୍ତ ଘଟାଇବେ।

ଆବେଦନକାରୀ ସୌମ୍ୟରଞ୍ଜନ ପ୍ରଧାନଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଅଦାଲତରେ ଦର୍ଶାଇଥିଲେ ଯେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଛୋଟ ଝିଅ ‘ପରୀ’ର  ଘର। ତା’ର ଅପହରଣ ପରେ ହତ୍ୟା କରାଯିବା ଜଣାପଡିବା ପରେ ତାକୁ ନ୍ୟାୟ ପ୍ରଦାନ ଦାବି କରି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଏହି ଘଟଣାରେ ସେତେବେଳେ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଂଘନ ହୋଇଥିବା ଦର୍ଶାଇ ନୟାଗଡ଼ ସଦର ଥାନା ପକ୍ଷରୁ ଧାରଣାରେ ବସିଥିବା ଗ୍ରାମବାସୀଙ୍କ ନାମରେ ଏତଲା ଦିଆଯାଇଥିଲା।

ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏହି ଧାରଣାରେ ନଥିଲେ ମଧ୍ୟ ତାଙ୍କ ନାମରେ ଏତଲାରେ ରହିଥିଲା। ଏହି ଘଟଣାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ଆଗୁଆ ଜାମିନ୍ ଆବେଦନ କରି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି। ଏବେ ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ତା’ର ବାପ, ମା’ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ପରେ ଏଥିରେ ସରପଞ୍ଚଙ୍କ ହାତ ଅଛି ବୋଲି ଅଭିଯୋଗ କରାଯାଉଛି।

କିନ୍ତୁ ଏସବୁ ଘଟଣା ପଛରେ ସୌମ୍ୟଙ୍କର ହାତ ନଥିଲେ ବି ତାଙ୍କୁ ଧମକଚମକ ମିଳୁଛି। ତେଣୁ କିଛିଦିନ ପୂର୍ବେ ନିଜର ତଥା ପରିବାରର ସୁରକ୍ଷା ଲୋଡି ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ ସୌମ୍ୟରଞ୍ଜନ। ହାଇକୋର୍ଟ ଏହାକୁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment