ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ମାସରେ ଖୋଲିବ ସ୍କୁଲ୍, କଲେଜ। ନୂଆବର୍ଷରୁ ପିଲାମାନେ ପୁଣି ସ୍କୁଲ୍ ଏବଂ କଲେଜକୁ ଫେରିବା ସହିତ ପାଠପଢ଼ି ପରୀକ୍ଷା ଦେବେ ବୋଲି ଗୁରୁବାର ସୂଚନା ମିଳିଛି।

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବା ମୁତାବକ, ଜାନୁଆରି ମାସରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିଲାମାନେ ଖୁବଶୀଘ୍ର ସ୍କୁଲକୁ ଫେରିବେ। ସ୍କୁଲରେ ୧୦୦ ଦିନ ପାଠପଢ଼ା ହେବା ପରେ ପରୀକ୍ଷା ହେବ। କେବଳ ପୂଜାପର୍ବାଣୀକୁ ଛାଡ଼ି ରବିବାର ଭଳି ଛୁଟି ଦିନରେ ମଧ୍ୟ ପାଠପଢ଼ା ହେବ ବୋଲି ସେ କହିଛନ୍ତି।

ସେହିପରି ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ନୂଆ ବର୍ଷ ପରେ କଲେଜ ଖୋଲିବ। ପିଲାମାନେ କ୍ଲାସରୁମରେ ପାଠପଢ଼ା ସାରିଲେ ପରୀକ୍ଷା ହେବ। ଏବର୍ଷ ୟୁଜି ଓ ପିଜି ପରୀକ୍ଷାରେ ବିଳମ୍ବରେ ହୋଇପାରେ। ଯଦି ଧାର୍ଯ୍ୟ ସମୟରେ ସିଲାବସ ନସରେ ତେବେ ବିଭାଗ ପାଠ୍ୟକ୍ରମ କମାଇବାକୁ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।ଏଥର ଡେରିରେ ହେବ ପରୀକ୍ଷା

 

କୋଭିଡ୍ କାରଣରୁ ଏଥର ଫେବ୍ରୁଆରି ମାସରେ ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସରେ +୨ ପରୀକ୍ଷା ହୋଇପାରିବ ନାହିଁ। ସ୍କୁଲ୍, କଲେଜ ଖୋଲିବା ପରେ ପାଠପଢ଼ା ହୋଇ ଏହି ଦୁଇ ପରୀକ୍ଷା ହେବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପିଲାମାନେ କୋଭିଡ୍ ଗାଇଡଲାଇନକୁ ମାନି ପରୀକ୍ଷାରେ ବସିବେ ବୋଲି ସେ କହିଥିଲେ। ସେହିପରି ଉଚ୍ଚଶିକ୍ଷା ବିଭାଗ ସଚିବ ମଧ୍ୟ ସେହି ସମାନ କଥା କହିଛନ୍ତି। ଯଦି ଧାର୍ଯ୍ୟ ସମୟରେ ସିଲାବସ୍ ଶେଷ ନହୁଏ ତେବେ ବିଭାଗ ପାଠ୍ୟକ୍ରମ କମେଇବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି।

ବିଭାଗ ହାତରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି

କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉପରେ ସ୍କୁଲ୍, କଲେଜ ଖୋଲିବା ନିଷ୍ପତ୍ତି ଛାଡ଼ିଦେଇଛନ୍ତି। ଏହି ଦୁଇ ବିଭାଗ ହିଁ ରାଜ୍ୟରେ କେବେ ସ୍କୁଲ୍, କଲେଜ ଖୋଲିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଅନ୍ୟପଟେ ଏହି ଦୁଇ ବିଭାଗ ରାଜ୍ୟରେ କେବେ ସ୍କୁଲ, କଲେଜ ଖୋଲିବ ସେ ନେଇ କୌଣସି ତାରିଖ ଘୋଷଣା କରିନାହାନ୍ତି। ଏହାସତ୍ତ୍ୱେ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ପୂର୍ବଭଳି ଚାଲୁ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment