ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସହ ପେନ୍‌ସନ୍ ନ ମିଳିବାରୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଯଦି ପରବର୍ତ୍ତୀ ଶୁଣାଣି ସୁଦ୍ଧା କାର୍ଯ୍ୟକାରୀ ନ ହୁଏ ତାହେଲେ ଉଭୟ ସଚିବଙ୍କର ଚଳିତ ମାସର ଦରମା ବନ୍ଦ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

୮୦ ବର୍ଷର ବୃଦ୍ଧ ମିଠୁରାମ ଭୋଇ ବୁର୍ଲା ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟରେ କାର୍ଯ୍ୟ କରି ୨୨ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ ମଧ୍ୟ ପେନ୍‌ସନ୍ ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ ମିଠୁରାମଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମିଠୁରାମ ଭୋଇ ବୁର୍ଲା ହୀରାକୁଦ ପ୍ରୋଜେକ୍ଟରୁ ୧୯୯୮ ମସିହା ଜୁନ୍ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। କିନ୍ତୁ ତାଙ୍କୁ ଅବସର ପରେ ପେନ୍‌ସନ୍ ମିଳିନଥିଲା। ଫଳରେ ଏ ନେଇ ସେ ପ୍ରଥମେ ସ୍ୟାଟ୍‌ରେ ଏକ ମାମଲା ରୁଜୁ କରିଥିଲେ। ସ୍ୟାଟ୍ ୨୦୧୫ରେ ତାଙ୍କୁ ନିୟମିତ କରି ସର୍ବନିମ୍ନ ପେନ୍‌ସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ଜଳସମ୍ପଦ ବିଭାଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ୨୦୧୯ ଡିସେମ୍ବର ୧୨ ତାରିଖରେ ଏହି ମାମଲାର ରାୟ ପ୍ରକାଶ କରି ସ୍ୟାଟ୍‌ଙ୍କ ଆଦେଶକୁ କାଏମ୍ ରଖିଥିଲେ। ଏଥିସହ ଚଳିତବର୍ଷ ଫେବ୍ରୁଆରି ପହିଲାରୁ ତାଙ୍କୁ ନିୟମିତ ପେନ୍‌ସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ପହିଲା ଭିତରେ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ଲାଗି ହାଇକୋର୍ଟ କହିଥିଲେ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ତାଙ୍କର ବକେୟା ପ୍ରଦାନ ନ କରାଯାଏ ତାହେଲେ ରାଜ୍ୟ ସରକାର ୯ ପ୍ରତିଶତ ସୁଧ ହାରରେ ବକେୟା ଅର୍ଥ ପ୍ରଦାନ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ।

ଏହି ଆଦେଶକୁ କାର୍ଯ୍ୟକାରୀ ନ କରିବାରୁ ଆବେଦନକାରୀ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଗତ ସେପ୍ଟେମ୍ବର ୨୮ ତାରିଖରେ ଏହି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ସେହିଦିନ ହାଇକୋର୍ଟ କ’ଣ ପାଇଁ ଆବେଦନକାରୀଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ ସେ ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ଗତ ୮ ତାରିଖକୁ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ସେଦିନ ରାଜ୍ୟ ସରକାର ଟାଇମ୍ ପିଟିସନ୍ ଦାଖଲ କରି ସମୟ ମାଗିଛନ୍ତି ବୋଲି ଅଦାଲତଙ୍କୁ ଅବଗତ କରିଥିଲେ। ହାଇକୋର୍ଟ ଗତକାଲି ଏହି ମାମଲାର ଶୁଣାଣି ଧାର୍ଯ୍ୟ କରିଥିଲେ। ଗତକାଲି ରାଜ୍ୟ ସରକାର ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବ ଅନୁମତିର ଆବଶ୍ୟକତା ଥିବା ଦର୍ଶାଇ ଆଉ ତିନି ମାସ ସମୟ ଅଦାଲତରୁ ଲୋଡ଼ିବା ପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

Comment