ଓଡ଼ିଶାଲାଇଭ୍ ବ୍ୟୁରୋ

  • ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର
  • ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ
  • ଜାନୁଆରି ୧ ଓ ୨ ଦର୍ଶନ ବନ୍ଦ
  • ଜାନୁଆରି ୩ରେ ସାଧାରଣ ଭକ୍ତଙ୍କୁ ଦର୍ଶନ ସୁବିଧା
  • ୬୫ ବର୍ଷରୁ ଅଧିକ, ୧୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ଦର୍ଶନ ମନା

ଖୁବ୍‌ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର। ଆସନ୍ତା ୨ଦିନ ଭିତରେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ନିଷ୍ପତ୍ତି ପରେ ଜନସାଧାରଣଙ୍କୁ ଜଣାଯିବ। ଶନିବାର ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଏବାବଦରେ ସୂଚନା ଦେଇଛନ୍ତି।

ରଥଯାତ୍ରା ସମୟରେ ପୁରୀବାସୀ ଘରେ ରହି ବେଶ୍ ଶୃଙ୍ଖଳାର ସହ ଯାତ୍ରା କରାଇବାରେ ସହଯୋଗ କରିଥଲେ। ତେଣୁ ମନ୍ଦିର ଖୋଲିଲେ ପ୍ରଥମେ ୪ରୁ ୫ଦିନ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ନିଯୋଗରେ ନିଷ୍ପତ୍ତି ହୋଇଛି। ସେହିପରି ଜାନୁଆରି ୧ ଏବଂ ୨ ତାରିଖ ଅତ୍ୟଧିକ ଗହଳିର ସମ୍ଭାବନା ରହିଥିବାରୁ ଏହି ଦୁଇଦିନ ମନ୍ଦିର ବନ୍ଦ ରଖାଯିବ।

ଅନ୍ୟପଟେ ଜାନୁଆରି ୩ ତାରିଖରୁ ପୁରୀ ବାହାର ଭକ୍ତଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ପ୍ରଥମେ ୬ରୁ ୭ଦିନ ପର୍ଯ୍ୟନ୍ତ ପ୍ରତିଦିନ ସର୍ବାଧିକ ୫ ହଜାର ଲୋକଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ାଯିବ। ଏହାପରେ ସ୍ଥିତି ଦେଖି ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବ। ଦର୍ଶନ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ ରଖାଯିବ ବୋଲି ଶନିବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟା ପ୍ରଶାସକ କହିଛନ୍ତି।

ସେହିପରି ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି କିମ୍ଵା ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଦର୍ଶନର ସୁଯୋଗ ଦିଆଯିବ ନାହିଁ। ମନ୍ଦିରର ୪ଟି ଦ୍ଵାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯିବ। ସେବାୟତମାନଙ୍କୁ ସ୍ଵତନ୍ତ୍ର ଆଇ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ଏବଂ ସର୍ବୋପରି ଶାନ୍ତି, ଶୃଙ୍ଖଳା ମଧ୍ୟରେ ଦର୍ଶନ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବ ପ୍ରଶାସନ।

Comment