ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପୁଅ ରାଧାଶ୍ୟାମ ରଥଙ୍କୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଡିସେମ୍ବର ୧୧ରେ ସେ ଏହି ପଦବୀରେ ନିଯୁକ୍ତି ପାଇଛନ୍ତି।

ରାଧାଶ୍ୟାମ ରଥଙ୍କୁ ଅର୍ଥ, ବଜାର ପରିଚାଳନା ବିଭାଗ, ବିଦେଶୀ ପୁଞ୍ଜି ଓ ପରିଚାଳନା ବିଭାଗ, ଆଇନ ବିଭାଗ ତଥା ସଚିବାଳୟ ବିଭାଗ ଦାୟିତ୍ୱ ଦିଆଯାଇଛି। ଇଡିକୁ ପଦୋନ୍ନତି ହେବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଅର୍ଥ ବଜାର ପରିଚାଳନା ବିଭାଗର ସିଜିଏମ ଥିଲେ। ଦୀର୍ଘ ୩୦ ବର୍ଷ ଧରି ସେ ଆରବିଆଇରେ କାମ କରିବା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରି ଆସିଛନ୍ତି। ସେ ଚେନ୍ନାଇରେ ଥିବା ରିଜର୍ଭ ବ୍ୟାଙ୍କ ଷ୍ଟାଫ କଲେଜରେ ଫାକଲ୍ଟି ବି ଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ତ୍ରିନାଥ ରଥ ଓ ଶାରଳା ରଥଙ୍କ ପୁଅ ରାଧାଶ୍ୟାମ ରାଉରକେଲା ଓ ବ୍ରହ୍ମପପୁରରେ କନଭେଣ୍ଟ ଶିକ୍ଷା ଲାଭ କରିଥିଲେ। ଇସ୍ପାତ କଲେଜରୁ ଡିଗ୍ରୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକତ୍ତୋର ଡ଼ିଗ୍ରୀ ହାସଲ କରିଥିଲେ। ୧୯୯୧ରେ ସେ ମ୍ୟାନେଜର ଭାବରେ ଆରବିଆଇରେ କାର୍ଯ୍ୟ ଆରମ୍ଭ କରିଥିଲେ।

ରାଧାଶ୍ୟାମ ରଥଙ୍କ ନିଯୁକ୍ତି ପରେ ଏବେ ରିଜର୍ଭ ବ୍ୟାଙ୍କରେ ଚାରି ଓଡ଼ିଆ ଟପ ପଦବୀରେ ରହିଛନ୍ତି। ଶକ୍ତିକାନ୍ତ ଦାଶ ଗଭର୍ଣ୍ଣର ଥିବା ବେଳେ ମାଇକେଲ ଦେବବ୍ରତ ପାତ୍ର ଡେପୁଟି ଗଭର୍ଣ୍ଣର ଅଛନ୍ତି। ଅନ୍ୟ ଜଣେ ଡେପୁଟି ଗଭର୍ଣ୍ଣର ହେଉଛନ୍ତି ବିଭୁ ପ୍ରସାଦ କାନୁନଗୋ। ଗିରିଶ ଚନ୍ଦ୍ର ମୁର୍ମୁ ଚତୁର୍ଥ ଓଡ଼ିଆ ଯିଏ କି ଅନ୍ୟ ଜଣେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।

Comment