ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
  • ଡିସେମ୍ବର ୨୭ରୁ ୩୧ କେବଳ ସେବାୟତଙ୍କୁ ଦର୍ଶନର ସୁଯୋଗ
  • ନୂଆବର୍ଷ ଭିଡ଼ ପାଇଁ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ
  • ୩ରୁ ୫ ତାରିଖ କେବଳ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ସୁଯୋଗ
  • ୬ ତାରିଖରୁ ଶ୍ରୀଲିଙ୍ଗରାଜଙ୍କୁ ସର୍ବସାଧାରଣ ଦର୍ଶନ

ଦୀର୍ଘ ଦିନର ତାଲାବନ୍ଦ ପରେ ଆସନ୍ତା ୨୭ ତାରିଖରୁ ଖୋଲିବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର। କେବଳ କୋଭିଡ୍ ନେଗେଟିଭ୍ ଥିବା ଲୋକଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଅନୁମତି ମିଳିପାରିବ ବୋଲି ମଙ୍ଗଳବାର ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି।

ଡିସେମ୍ବର ୨୭ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲାଯିବ। ଏହାପରେ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ପୂଜକମାନଙ୍କ ପରିବାର ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହି ସମୟରେ ଅନ୍ୟ କୌଣସି ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ କରିବାର ସୁଯୋଗ ଦିଆଯିବ ନାହିଁ।୧ ଏବଂ ୨ ତାରିଖ ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ବନ୍ଦ ରହିବ। ଏହାପରେ ୩, ୪ ଏବଂ ୫ ତାରିଖ କେବଳ ଭୁବନେଶ୍ୱରର ଲୋକମାନେ ମନ୍ଦିରରେ ପ୍ରବେଶ କରିବାର ଅନୁମତି ପାଇବେ। ୬ ତାରିଖରୁ ଶ୍ରୀଲିଙ୍ଗରାଜଙ୍କୁ ସର୍ବସାଧାରଣ ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ଏହି ସମୟରେ ବିଏମସି ତରଫରୁ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଏକ ସ୍କ୍ରିନିଂ ଟିମ୍ ରହିବ। ମନ୍ଦିରରେ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ନଚେତ୍ ସେମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ଅନ୍ୟପଟେ ଜାନୁଆରି ୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିପାରିବ। ତେବେ ସେଠାରେ କୋଭିଡ୍ ଗାଇଡଲାଇନ୍ ପାଳନ ହେବା ନିହାତି ଆବଶ୍ୟକ। ଗାଇଡଲାଇନ୍ ପାଳନ ହେବା ନେଇ ବିଏମସିକୁ ସୂଚନା ଦେବା ପରେ ସହରର ସମସ୍ତ ମନ୍ଦିର ଖୋଲିପାରିବ ବୋଲି କୁହାଯାଇଛି। ତା’ସହ ଅଳ୍ପ କିଛି ଅତିଥିଙ୍କୁ ନେଇ ଖ୍ରୀଷ୍ଟିୟାନ ଧର୍ମାବଲାମ୍ବୀମାନେ ବଡ଼ଦିନ ପାଳନ କରିପାରିବେ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

Comment