ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିବା ୩ ବର୍ଷର ଝିଅ ସ୍ୱାତୀର ମୃତଦେହକୁ ଖୋଜିପାଇଛି ପୋଲିସ। ଗାଁ ଭିତରେ ଥିବା ଏକ ପୋଖରୀରେ ଏହି କୁନି ଝିଅର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିବା ଖବର ମିଳିଛି।

ତେବେ ମୃତଦେହଟି ପାଣିରେ ବୁଡି ରହିଥିବା କାରଣରୁ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଏହା ପଛରେ ଅଙ୍ଗ ତସ୍କରୀ କିମ୍ବା ବଳୀ ପ୍ରଥା ଥାଇପାରେ ବୋଲି ସନ୍ଦେହ କରାଯାଉଛି।ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଧିପାଟଣା ଗାଁ’ର ୩ ବର୍ଷ ଝିଅ ସ୍ୱାତୀ ଶୁକ୍ରବାର ହଠାତ୍ ନିଖୋଜ ହୋଇଯାଇଥିଲା। ଏହାପରେ ଚାରିଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ସ୍ୱାତୀକୁ ପାଇନଥିଲେ। ଏହାପରେ ରାଜସୁନାଖଳା ଫାଣ୍ଡିରେ ଏନେଇ ଏକ ନିଖୋଜ ମାମଲା ଦାୟର ହୋଇଥିଲା।

ମାମଲା ଦାୟର ହେବା ପରେ ମଧ୍ୟ ପୋଲିସ ସ୍ୱାତୀକୁ ଖୋଜିପାଇନଥିଲା। ଗାଁର ବିଭିନ୍ନ ପୋଖରୀ ଓ ଖାଲିସ୍ଥାନକୁ ପୋଲିସ ଖୋଜିଥିଲେ ବି କୌଣସି ମୃତଦେହ ମିଳିନଥିଲା। ମଙ୍ଗଳବାର କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆଦିବାସୀ ସାହି ପାଖରେ ଥିବା ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି।

Comment