ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ମାର୍ଚ୍ଚ ୨୩ ତାରିଖରୁ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏହା ଫଳରେ ଲୋକଙ୍କୁ ଘର ଭିତରେ ବାଧ୍ୟ ହୋଇ ରହିବାକୁ ପଡ଼ିଥିଲା। ତା’ ସତ୍ତ୍ୱେ ସାମାଜିକ ଅପରାଧ ହ୍ରାସ ହେବା ପରିବର୍ତ୍ତେ ପ୍ରକୃତରେ ବୃଦ୍ଧି ପାଇଥିଲା ବୋଲି ପ୍ରକାଶିତ ପୋଲିସ ତଥ୍ୟରୁ ଜଣାପଡିଛି। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଅପରାଧ ଘଟଣା ଅଧିକ ହୋଇଥିବା ଏହି ତଥ୍ୟ କହୁଛି।

ଓଡ଼ିଶା ପୋଲିସର ତଥ୍ୟ ଅନୁଯାୟୀ ୨୦୨୦ ବର୍ଷର ପ୍ରଥମାର୍ଦ୍ଧରେ ରାଜ୍ୟରେ ୧୨୧୨ଟି ବଳାତ୍କାର ଘଟଣା ରୁଜୁ ହୋଇଥିଲା। ଗତ ବର୍ଷ ସେହି ସମୟ ମଧ୍ୟରେ କିନ୍ତୁ ୧୧୪୯ଟି ମାମଲା ରୁଜୁ କରାଯାଇଥିଲା। ଲକଡାଉନ ସମୟରେ ବି ବଳାତ୍କାର ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ଭୀଷଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଶ୍ନ ଉଠୁଛି ଲକଡାଉନ ସମୟରେ ମହିଳା ଓ ଶିଶୁ କନ୍ୟାଙ୍କ କ୍ଷେତ୍ରରେ ଯେଉଁ ସବୁ ଦୁଷ୍କର୍ମ ଘଟଣା ଘଟିଥିଲା ସେଥିରେ  ଚିହ୍ନା ଲୋକ କିମ୍ବା ଦୂର ସମ୍ପର୍କୀୟଙ୍କ ଭୂମିକା ରହିଥିଲା କି? ଏହାର ଉତ୍ତର ‘ହଁ ‘ ଛଡ଼ା ଆଉ କିଛି ହୋଇନପାରେ।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଅଧିକାଂଶ ମାମଲା ମାର୍ଚ୍ଚ ମାସ ପରଠାରୁ ସାମ୍ନାକୁ ଆସିଛି। ମୋଟ ୧୨୧୨ଟି କେସ ଭିତରୁ ଅଧାଅଧି ଏହି ସମୟ ମଧ୍ୟରେ ଘଟିଛି।

ପୋଲିସର ମତ ଯେ ଅଧିକରୁ ଅଧିକ ଦୁଷ୍କର୍ମ ମାମଲା ରୁଜୁ ହେବା ପଛରେ ଅନ୍ୟ ଏକ କାରଣ ହେଉଛି ପୂର୍ବାପେକ୍ଷା ପୋଲିସରେ ଏତଲା ଦେବା ପାଇଁ ପୀଡ଼ିତାମାନେ ସାହସ ସଞ୍ଚୟ କରି ପାରୁଛନ୍ତି। ବିଶେଷ କରି ନିର୍ଭୟା ଘଟଣା ପରେ ମହିଳାଙ୍କ ଭିତରେ ସ୍ୱାଭାବିକ ସାହସିକତା ସୃଷ୍ଟି ହୋଇଛି ଓ ପୋଲିସ ପାଖକୁ ଯିବାରେ ସେମାନେ ଆଦୌ ସଂକୋଚ କରୁନାହାନ୍ତି।

ରାଜ୍ୟରେ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇଥିବା ବେଳେ  ପ୍ରଥମ ଛଅ ମାସ ମଧ୍ୟରେ  ଅନ୍ୟାନ୍ୟ ଅପରାଧରେ କିନ୍ତୁ  ସେଭଳି ବୃଦ୍ଧି ଘଟିନାହିଁ। ହେଲେ ତାଲା ବନ୍ଦ ସମୟରେ ଡକାୟତି ଘଟଣା ଅଧିକ ଘଟିଥିବା ବିଷୟ ପୋଲିସ ରେକର୍ଡ଼ କହୁଛି। ଲକଡାଉନ ଯୋଗୁଁ ଅନେକ ଲୋକ ଘରକୁ ନଆସପାରିବା ଫଳରେ ଡକାୟତମାନେ ଏହାର ସୁଯୋଗ ନେଇ ଖାଲିଥିବା ଘର ଓ ଦୋକାନରେ ଲୁଟି କରିଛନ୍ତି।

Comment