ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୧୬ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ସୋମବାର ଅପରାଧୀକୁ ଦଣ୍ତାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅଦାଲତ। ଜଣେ ନାବାଳିକା ସହ ଖରାପ କାମ କରିଥିବା ଅଭିଯୋଗରେ ମହାକାଳପଡ଼ାର ବଗୁଲି ବେହେରାକୁ ଅଦାଲତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମହାକାଳପଡା ବ୍ଲକରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା। ସେଦିନ ଥାଏ ୨୦୧୬ ମସିହା ଏପ୍ରିଲ ୭ ତାରିଖ। ଗାଁରେ ଚାଲିଥିବା ଅଷ୍ଟମ ପ୍ରହର ନାମଜଜ୍ଞ ଉତ୍ସବ। ଏହି ଜଜ୍ଞ ଦେଖିବାକୁ ଆସିଥିଲେ ଜଣେ ୮ ବର୍ଷର ଝିଅ। ସେହି ଗାଁର ବଗୁଲି ବେହେରା ନାମକ ୨୩ ବର୍ଷିୟ ଜଣେ ମୁକ ବଧିର ଯୁବକ ନାବାଳିକାର ପାଟିରେ ଗାମୁଛା ଭର୍ତ୍ତି କରି ଏକ ନିରୋଳା ଅନ୍ଧାର ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଘରେ ପହଞ୍ଚି କାନ୍ଦିକାନ୍ଦି ଏହି ଘଟଣା ସମ୍ପର୍କରେ ମା’କୁ ସବୁକଥା କହିଦେଇଥିଲା। ଏହାପରେ ଝିଅଟିର ବାପା ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ମାର୍ଶାଘାଇ ପୋଲିସ ଏହି ଘଟଣାରେ ଏକ ମାମଲା ଋଜୁ କରି ତଦନ୍ତ କରୁଥିଲେ। ଅଭିଯୁକ୍ତ ବଗୁଲି ବେହେରା ବିରୋଧରେ ପୋଲିସ ଆଇପିସିର ଦଫା ୩୭୬(୨)(ଆଇ), ୩୪୧, ୩୨୩, ୩୫୪(ଏ), ୫୦୬ ଏବଂ ପକ୍ସୋ ଆଇନର ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ବଗୁଲି ବେହେରା ବିଚାର ବିଭାଗୀୟ ହାଜତରେ ରହିଥିଲା।
ତେବେ ସୋମବାର ଏହି ମାମଲାର ବିଚାର ଶେଷ ହୋଇଛି। କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏମ୍ ଆର୍ ଦୋରା ମାମଲାର ସମସ୍ତ ସାକ୍ଷୀ ଓ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ବଗୁଲି ବେହେରାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ନଦେଇପାରିଲେ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦିଆଯାଇଛି।

Comment