ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପରେ ଆଜି ନୌସେନାର ଯୁଦ୍ଧ କୌଶଳ ଦେଖିବେ ରାଜ୍ୟର ୧୨୩ ବିଧାୟକ। ଏଥିପାଇଁ ମଙ୍ଗଳବାର ସକାଳୁ ସକାଳୁ ଏକ ବସ୍‌ ଯୋଗେ ବିଧାନସଭା ପରିସରରୁ ପାରଦୀପ ଅଭିମୁଖେ ବାହାରିଛନ୍ତି ଜନପ୍ରତିନିଧି।

ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ‘ଆଇଏନ୍‌ଏସ୍‌ ଜଳସା’ରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯାଏ।  କିନ୍ତୁ ଏ ବର୍ଷ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପ୍ରଥମ।

ବିଧାୟକମାନଙ୍କୁ ଏଭଳି ଯୁଦ୍ଧ କୌଶଳ ଦେଖାଇବାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,‘‘ବିଧାୟକମାନେ ବିଧାନସଭାରେ ଆଇନ ତିଆରି କରୁଛନ୍ତି। ସେ ଯୁଦ୍ଧ ହେଉ କି ଉନ୍ନତି ହେଉ। କିନ୍ତୁ ଆମ ସୈନିକମାନେ ଯେଉଁ ଯୁଦ୍ଧ କରୁଛନ୍ତି ସେ ବିଷୟରେ ଆମେ ଜାଣିନାହୁଁ। ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ଯୁଦ୍ଧାଭ୍ୟାସ ଚାଲିଥିଲା ବେଳେ ବିଧାୟକମାନଙ୍କୁ ସାମିଲ କରିବାକୁ ନୌସେନାକୁ ଅନୁରୋଧ କରାଯାଇଥିଲା’’।

ବିଧାୟକମାନେ ଆଜି ପାରଦୀପ ସମୁଦ୍ର ଭିତରେ ସମୟ ବିତାଇବେ। ସକାଳ ୯ଟାରୁ ଅପରାହ୍‌ଣ ୪ଟା ଯାଏଁ ବିଧାୟକ ନୌସେନା ସହିତ ବିତାଇବେ।

‘‘ସାରା ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ନୌବାହିନୀର ଯୁଦ୍ଧ ଜାହାଜ ପାରାଦୀପକୁ ଆସିଛି । ନୌସେନା କେମିତି ସମରଭ୍ୟାସ କରୁଛନ୍ତି ଏବଂ ସୁରକ୍ଷା ଦାୟିତ୍ୱକୁ କିଭଳି ଭାବେ ବହନ କରୁଛନ୍ତି ସେମାନେ ଆମକୁ ସଚେତନ କରାଇବେ’’, କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

‘‘ଦେଶପାଇଁ ସ୍ଥଳସେନ, ବାୟୁସେନା ଏବଂ ନୌସେନା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆମକୁ ଏଭଳି ଏକ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି’’, କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।

‘‘ସବୁ ଦଳର ବିଧାୟକ ଆଜି ଏକାଠି ହୋଇଛନ୍ତି। ସମସ୍ତେ ଗଭୀର ସମୁଦ୍ର ଭିତରେ ଜାହାଜରେ ବସି ଏକ ନୂଆ ଅନୁଭୂତି ନେବେ’’, କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

Comment