ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିଜ ଦୋକାନରୁ ନିଜେ ଚୋରି କରି ଫସିଛନ୍ତି କେନ୍ଦ୍ରାପଡ଼ାର ପ୍ରତ୍ୟୁଷ ମିଶ୍ର। ଏହି ମିଛ ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିବାରେ କେନ୍ଦ୍ରାପଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ମିଛ ଅଭିଯୋଗର ତଦନ୍ତ କରି ଅପରାଧୀକୁ ଧରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି।

ଗତ ୨୮ ତାରିଖ ଦିନ ୧୧ଟା ୩୦ ମିନିଟର ଘଟଣା। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ତମଳାଶାସନ ଗ୍ରାମର ପ୍ରତ୍ୟୁଷ ମିଶ୍ର ପଞ୍ଜାବ ନାସନାଲ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ୫ ଜଣ ଯୁବକ ତାଙ୍କୁ ପିସ୍ତଲ ଦେଖାଇ ଅଟକାଇ ଥିଲେ। ଏହାପରେ ଉକ୍ତ ଯୁବକମାନେ ପ୍ରତ୍ୟୁଷଙ୍କୁ ମାଡମାରି ତାଙ୍କ ଠାରୁ ୩ ଲକ୍ଷ ଲୁଟିନେଇ ଇନ୍ଦୁପୁର ଆଡେ ପଳାଇ ଯାଇଥିଲେ। ଏବାବଦରେ ପ୍ରତ୍ୟୁଷ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଡକାୟତମାନଙ୍କୁ ଠାବକରିବାକୁ କେନ୍ଦ୍ରାପଡା ଏସ୍‌ପି ମଡକର୍ ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଦେଶ କ୍ରମେ ୩ଟି ସ୍ଵତନ୍ତ୍ର ସ୍କ୍ଵାର୍ଡ ଗଠନ ହୋଇଥିଲା। ଏହାବାଦ୍ ଏସ୍‌ପି ନିଜେ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ। କିପରି ପୂରା ଲୁଟ ହୋଇଥିଲା ତାହାକୁ ଆଉଥରେ କରି ଦେଖାଇବାକୁ ପ୍ରତ୍ୟୁଷଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ ଏସ୍‌ପି। ତେବେ ପ୍ରତ୍ୟୁଷଙ୍କ କାର୍ଯ୍ୟକଳାପ ଦେଖି ତାଙ୍କ ଉପରେ ସନ୍ଦେହ କରିଥିଲେ ଏସ୍‌ପି। ଘଟଣା ପଛରେ ଅନ୍ୟ ରହସ୍ୟ ରହିଥିବା ସେ ଅନୁମାନ ଲଗାଇଥିଲେ। ତେଣୁ ସେ ବ୍ୟକ୍ତିଗତ ଭାବେ ତଦନ୍ତ ଆଗକୁ ବଢାଇଥିଲେ। ଶେଷରେ ଘଟଣାର ଗୁମର ଖୋଲିଥିଲା। ଅଭିଯୋଗକାରୀ ପ୍ରତ୍ୟୁଷ ହିଁ ନିଜେ ଲୁଟ କରି ମିଛ ଅଭିଯୋଗ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା।ଏହି ଘଟଣାରେ କେନ୍ଦ୍ରାପଡା ଅତିରିକ୍ତ ଏସପି ଗାଗାରିନ ମହାନ୍ତି ବୁଧବାର ପଟ୍ଟାମୁଣ୍ଡାଇ ଥାନାରେ ଏକ ସାମ୍ଵାଦିକ ସମ୍ମିଳନୀରେ ଘଟଣାର ରହସ୍ୟ ଉନ୍ମୋଚନ କରିଥିଲେ। ପ୍ରତ୍ୟୁଷଙ୍କର ଚଉଦକୁଲାଟରେ ତାରିଣୀ ଟ୍ରେଡର୍ସ ନାମରେ ଏକ ସିମେଣ୍ଟ ଦୋକାନ ଅଛି। ତେବେ ପ୍ରତ୍ୟୁଷ ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସହିତ ମିଶି ଲୁଟ ହୋଇଥିବା ନେଇ ଏକ ମିଛ ଯୋଜନା କରିଥିଲେ। ଏହାପରେ ଯାଇ ପୋଲିସରେ ଅଭିଯୋଗ କରିଥଲେ। ତେବେ ତଦନ୍ତ ପରେ ପ୍ରତ୍ୟୁଷ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲେ। ଏହାପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପ୍ରତ୍ୟୁଷଙ୍କ ନାଁରେ ମାମଲା ନଂ- ୫୭୧/୨୦୨୦ ଓ ଦଫା ୩୯୫ ଓ ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି।

Comment