ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍ ଫଳରେ ଶିକ୍ଷାର ହବ୍ ହେବ ସମ୍ବଲୁପର।

“ଆଜିର ଷ୍ଟାର୍ଟଅପ୍ ଆସନ୍ତାକାଲିର ବଡ଼ ଉଦ୍ୟୋଗୀ। ଏଥିପାଇଁ କେବଳ ସଠିକ ମ୍ୟାନେଜମେଣ୍ଟର ଆବଶ୍ୟକତା ଅଛି। ଆଇଆଇଏମ୍ ଅନୁଷ୍ଠାନ ଆମ ଦେଶରେ ଏଥିପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରୁଛି। ସମ୍ବଲପୁରରେ ଆଜି ଏହି କ୍ୟାମ୍ପସର ଶିଳାନ୍ୟାସ ହେବା ସହିତ ଯୁବ ସାମର୍ଥକୁ ଶକ୍ତିଶାଳୀ କରିବାର ମୂଳଦୂଆ ପଡ଼ିଛି। ଆଗାମୀ ଦିନରେ ସମ୍ବଲପୁର ଶିକ୍ଷାର ହବ୍ ହେବ”, ଶନିବାର ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବଲପୁର ସହର ଉପକଣ୍ଠ ବସନ୍ତପୁରରେ ନିର୍ମାଣ ହେବାକୁ ଯାଉଛି ଆଇଆଇଏମ୍ କ୍ୟାମ୍ପସର ସ୍ଥାୟୀ କ୍ୟାମ୍ପସ। ଯାହାକି ୪୦୧ କୋଟି ଟଙ୍କା ବ୍ୟୟରେ ୨ ଶହ ଏକର ଜମିରେ ନିର୍ମାଣ ହେବ। ଶନିବାର ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମୋଦୀ ଏହି ଉତ୍ସବରେ ଯୋଗଦେଇ ପ୍ରଥମେ ଓଡ଼ିଶାବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ମୋଦୀ କହିଥିଲେ ଯେ, ଆଇଆଇଏମ୍ କ୍ୟାମ୍ପସ ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ପ୍ରାକ୍ଚିକାଲ୍ ଲ୍ୟାବ୍ ଭଳି। ଏଠାରେ ସେମାନେ ନୂଆ ନୂଆ ଚିନ୍ତାଧାରା ଓ କୌଶଳକୁ ଖୋଜିବେ। ତାଙ୍କରି ଉଦ୍ୟମରେ ହିଁ ଆତ୍ମନିର୍ଭର ଭାରତ ନିର୍ମାଣର ସ୍ୱପ୍ନ ସାକାର ହେବ ବୋଲି ମୋଦୀ କହିଥିଲେ। ଏଥିସହ ସମ୍ବଲପୁରୀ ଶାଢ଼ୀ ଓ ହୀରାକୁଦ ବନ୍ଧର କଥାକୁ ମନେ ପକାଇ ମୋଦୀ ଓଡ଼ିଶାକୁ ଉଚ୍ଚ ପ୍ରଂଶସା କରିଥିଲେ।

ଏହି ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇଥିଲେ। ଓଡ଼ିଶାରେ ଆଇଆଇଏମ୍,ଆଇଆଇଟି, ନାଇଜର ଭଳି ଜାତୀୟ ଶିକ୍ଷାନୁଷ୍ଠାନ ଖୋଲୁଥିବାରୁ ଆମ ରାଜ୍ୟ ଆାଗାମୀ ଦିନରେ ପର୍ବ ଭାରତର ଶିକ୍ଷା ହବ୍ ହେବ ବୋଲି ନବୀନ କହିଥିଲେ। ଏଥିସହ ଆଇଆଇଏମର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ସମ୍ବଲପୁରର ସ୍ଥାନୀୟ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସମ୍ବଲପୁରରେ ୨୦୧୫ ମସିହାରୁ ଆଇଆଇଏମ୍ ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ କିନ୍ତୁ ଏହାର କୌଣସି ସ୍ଥାୟୀ କ୍ୟାମ୍ପସ ନଥିଲା। ଏହାପରେ ସେଠାକାର ବସନ୍ତପୁରରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରିବାକୁ କେନ୍ଦ୍ର ସରକାର ୪୦୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏନବିସିସି ଏହି ପ୍ରକଳ୍ପର ନିର୍ମାଣ କାମ ହାତକୁ ନେଇଛି।

Comment