ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କୋଙ୍ଗରା ଗାଁ’ କାଜୁବାଡ଼ ପାଖରୁ ଜଣେ ଯୁବତୀଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରିବା ଘଟଣାରେ ଆଜି ନୂଆ ମୋଡ଼ ଦେଖିବାକୁ ମିଳିଛି। ଯୁବତୀଙ୍କ ମା’ ଏହି ଘଟଣାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅକୁ କେହି ଦୁଷ୍କର୍ମ କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ପୀଡ଼ିତାର ମା ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ଛାନଭିନ୍ ଆରମ୍ଭ କରିଛି।

ଗତକାଲି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ କୋଙ୍ଗରା ଗାଁର ଏକ କାଜୁ ବାଡ଼ ପାଖରୁ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ମୂମୁର୍ଷ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଖବର ପାଇ ତାଙ୍କ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ସମୟରେ ପୀଡ଼ିତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ କିନ୍ତୁ ଗତକାଲି ଏନେଇ ପାଟି ଖୋଲିନଥିଲେ।

ଆଜି କିନ୍ତୁ ପୀଡ଼ିତାଙ୍କ ମା ଏହାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ତାଙ୍କର ଏପରି ଅଭିଯୋଗ ପରେ ପୋଲିସ ନିଜର ତଦନ୍ତ ଅଭିଯାନକୁ ଜୋରସୋର୍ କରିଛି। ଅନ୍ୟପଟେ ନବରଙ୍ଗପୁରର ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପୀଡ଼ିତା ଓ ତାର ପରିବାରକୁ ଭେଟି ତୁରନ୍ତ ନ୍ୟାୟ ଦାବି କରିଛନ୍ତି। ତେବେ ପୋଲିସ କିନ୍ତୁ ଏ ପ୍ରସଙ୍ଗରେ ଅଧିକ କିଛି କହିବାକୁ ମନା କରିଦେଇଛି।

Comment