ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍ଏଲ୍ଆଇଏନ ବଣ୍ଟନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହେବା ପରେ ସୋମବାରଠୁ ଦ୍ୱିତୀୟ ପର୍ଯ୍ୟାୟ ବଣ୍ଟନ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ପୌର ପାଳିକା ସହିତ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ହିତାଧିକାରୀଙ୍କୁ ଏହି ପର୍ଯ୍ୟାୟରେ ମଶାରୀ ବଣ୍ଟନ କରାଯିବ।

ସୁନ୍ଦରଗଡ଼ ପୌର ପାଳିକାର ବଡ଼ପତ୍ରାପାଲିସ୍ଥିତ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର ଉପସ୍ଥିତ ଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ପୌରପାଳିକା, ବଡ଼ଗାଁ, ବିଶ୍ରା, ହେମଗିରି, ଲହୁଣିପଡ଼ା, ମଙ୍ଗସପୁର, କୁତ୍ରା, ଗୁରୁଣ୍ଡିଆ, ଏସ୍. ବଲାଙ୍ଗ ଅଞ୍ଚଳରେ ମଶାରୀ ବଣ୍ଟନ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୯୬ ହଜାର ୯୭୭ଟି ମଶାରୀ ବଣ୍ଟନ ହେବ। କେବଳ ସୁନ୍ଦରଗଡ଼ ପୌର ପାଳିକା ଅଞ୍ଚଳରେ ୫ଟି ସବ୍ ସେଣ୍ଟର ଅଧୀନରେ ୪୪ ହଜାର ମଶାରୀ ବଣ୍ଟନ କରାଯିବ।

‘‘ମ୍ୟାଲେରିଆ ଦମନ ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ମଶାରୀ ବଣ୍ଟନ କରାଯାଉଛି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ କରିବାରେ ଏହା ବହୁତ ସହାୟକ ହେବ। ଲୋକମାନେ ଏହାକୁ ଘରେ ନରଖି ନିୟମିତ ବ୍ୟବହାର କରନ୍ତୁ”, କହିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ।ଦ୍ୱିତୀୟ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରି ୧୧ ତାରିଖରୁ ୧୬ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ମଶାରୀ ବଣ୍ଟନ କରାଯିବ। ରାଜଗାଙ୍ଗପୁର ପୌର ପାଳିକା, କିଞ୍ଜିରକେଲା କୋଇଡ଼ା, ମଝାପଡ଼ା, ସର୍ଗିପାଲି, ସବଡେଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀନରେ ବଣ୍ଟନ କରାଯିବ।

ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ମୋଟ ୧୩ ଲକ୍ଷ ୬୪ ହଜାର ୭୨୭ଟି ମଶାରୀ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଡିସେମ୍ବର ୨୮ରୁ ପ୍ରଥମ ପର୍ଯ୍ୟାୟ ବଣ୍ଟନ ଆରମ୍ଭ ହୋଇ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Comment