ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ସାଉଥକୋ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଠିକା ବିଦ୍ୟୁତ କର୍ମଚାରୀମାନଙ୍କୁ ଗତ ୪ ମାସର ବକେୟା ଦରମା ମିଳିନାହିଁ। ତେଣୁ ଖୁବଶୀଘ୍ର ଏହାକୁ ପ୍ରଦାନ କରିବା ଦାବି କରି ଗୁରୁବାର ଠିକା କର୍ମଚାରୀମାନେ ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ନବରଙ୍ଗପୁର ଡିଭିଜନ ସମ୍ପାଦକ ଜେ ରାମରାଜୁ ଏବଂ ସହ ସମ୍ପାଦକ ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ମୋଟ ୨୧୩ ଜଣ ଠିକା କର୍ମଚାରୀ ହାତରେ ଫ୍ଲାକାର୍ଡ ଧରି ଏହି ଧାରଣାରେ ବସିଛନ୍ତି। ଗତ ଅଗଷ୍ଟ ମାସରେ ଏଜେନ୍ସିଗୁଡିକ ଠିକା କର୍ମଚାରୀମାନଙ୍କୁ କେବଳ ଏକ ମାସର ଦରମା ଦେଇଥିଲେ। ସେବେଠାରୁ ଆଉ ଦରମା ଦିଆଯାଇନାହିଁ। ନିୟମିତ ଦରମା ମିଳୁନଥିବା ବେଳେ ପ୍ରତି ମାସରେ ଦରମା ପାଇଁ ଦାବି କଲେ ସେହି ସମୟରେ କେବଳ ଗୋଟିଏ ମାସର ହିଁ ଦରମା ଦେଇ କର୍ତ୍ତୃପକ୍ଷ କର୍ମଚାରୀମାନଙ୍କୁ ଭୁଆଁ ବୁଲାଇ ଦେଉଥିବା ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ ସଂଘର ସଦସ୍ୟମାନେ। ତେଣୁ ବକେୟା ଦରମା ଟଙ୍କା ପ୍ରଦାନ କରିବା ପରେ ହିଁ ସେମାନେ ଧାରଣରୁ ହଟିବେ ବୋଲି କହିଛନ୍ତି।ସେହିଭଳି ସମାନ କାମକୁ ସମାନ ଦରମା ଓ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରାଯାଉ ବୋଲି କର୍ମଚାରୀମାନେ ଦାବି କରିଛନ୍ତି। ଏସମ୍ପର୍କରେ ସାଉଥକୋ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କୁ ଭେଟିବାରୁ ସେ କହିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ୨ ରୁ ୩ଦିନ ମଧ୍ୟରେ ଠିକା କର୍ମଚାରୀମାନେ ସେମାନଙ୍କ ବକେୟା ଦରମା ଟଙ୍କା ପାଇଯିବେ।

ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଙ୍ଘର ଡାକରାରେ ଆୟୋଜିତ ହୋଇଥିବା ଏହି ଧାରଣାରେ ନବରଙ୍ଗପୁର ବିଦ୍ୟୁତ କର୍ମଚାରୀ ଡିଭିଜନର ସମ୍ପାଦକ ଜେ ରାମରାଜୁ, ସହ ସମ୍ପାଦକ ରମାକାନ୍ତ ମହାନ୍ତି, ଡିଭିଜନ ଅର୍ଗାନାଇଜର ରଶ୍ମିରଞ୍ଜନ ମିଶ୍ର , କୋଷାଧ୍ୟକ୍ଷ ସୁଧାଂଶୁ ପ୍ରଧାନ, ସେକ୍ସନ ଅର୍ଗାନାଇଜର ଜ୍ୟୋତି ରଞ୍ଜନ ନାୟକ, ସବ୍‌ଡିଭିଜନ ସମ୍ପାଦକ ଶୁଭେନ୍ଦୁ ରାଉତ ପ୍ରମୁଖଙ୍କ ସମେତ ବହୁ ଠିକା ବିଦ୍ୟୁତ କର୍ମଚାରୀ ସାମିଲ ହୋଇଥିଲେ।

Comment