ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାରକୁ ଉଦଘାଟିତ କଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ

ସୁନ୍ଦରଗଡ଼ଠାରେ ନବନିର୍ମିତ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଠାଗାର ଉଦଘାଟିତ ହୋଇଯାଇଛି। ତା’ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସହଭାଗିତା’ କାର୍ଯ୍ୟକ୍ରମ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହାର ଶୁଭ ଉଦଘାଟନ କରିଛନ୍ତି।

ଆଦିବାସୀ ସଂସ୍କୃତି ଓ ବିଭିନ୍ନ ଲୋକକଳାକୁ ନେଇ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ଏହି ଲୋକକଳାକୁ ଉଜ୍ଜୀବିତ କରି ରଖିବା, କଳାକାରମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ତଥା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଏହି କଳାକୁ ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ତେଣୁ ଏଥିପାଇଁ ଜିଲ୍ଲାରେ ’ସହଭାଗିତା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ନୃତ୍ୟ, ପାଲା, ଦାସକାଠିଆ ଆଦିର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦିଆଯିବ। ତା’ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗାଁ ଗାଁରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ ଲୋକକଳାକୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯିବ।ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ କୋଠାରେ ଜିଲ୍ଲା ପାଠାଗାର ମଧ୍ୟ ଲୋକାର୍ପଣ କରାଯାଇଛି। ଏଠାରେ ବିଭିନ୍ନ ବିଷୟ ଉପରେ ୨୦ ହଜାରରୁ ଅଧିକ ପୁସ୍ତକ ରହିଛି। ଏଠାରେ ପାଠକମାନେ ବସି ବହି ପଢ଼ିବା ପାଇଁ ରିଡିଙ୍ଗ୍ ରୁମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।‘‘ଆମ ଜିଲ୍ଲାର ଲୋକକଳାକୁ ଆଗକୁ ନେବା ସହିତ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସରକାର ଏଥିପାଇଁ ’ସହଭାଗିତା’ ମାଧ୍ୟମରେ ପଦକ୍ଷେପ ନେଉଛନ୍ତି। ସେହିପରି ଛାତ୍ରଛାତ୍ରୀ, ପୁସ୍ତକପ୍ରେମୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଜିଲ୍ଲା ପାଠାଗାର ଲୋକାର୍ପଣ କରାଯାଇଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ଜିଲ୍ଲା କଳା ସଂସ୍କୃତି ସଂଘ ଅଧୀନରେ ୭୩୯ଟି ଦଳ ପଞ୍ଜିକୃତ ହୋଇଛନ୍ତି। ଜିଲ୍ଲାରେ ପ୍ରାୟ ୧୨ ହଜାର କଳାକାର ଅଛନ୍ତି। ଏହି କଳାକାରମାନଙ୍କୁ ପ୍ରୋତ୍ସାହନ ଦେଇ ଜିଲ୍ଲାର ଲୋକକଳା ଓ ସଂସ୍କୃତିକୁ ଆହୁରି ଜୀବନ୍ତ କରି ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ବଢ଼ାଇବା ପାଇଁ ‘ସୁନ୍ଦରଗଡ଼ ବହିପଢ଼’ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଅଧୀନରେ ବିଭିନ୍ନ ବ୍ଲକରେ ଗ୍ରାମୀଣ ପାଠାଗାର ନିର୍ମାଣ କରାଯାଉଛି। ସୁନ୍ଦରଗଡ଼ ସଦର ମହକୁମାରେ ନିର୍ମାଣ ଚାଲିଥିବା ସଂସ୍କୃତି ଭବନ କୋଠା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ନିର୍ମାଣ ପାଇଁ ଡିଏମ୍ଏଫ୍ ଆର୍ଥିକ ସହାୟତା ପ୍ରଦାନ କରୁଛି।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅନିଲ କେରକେଟା, ଡିଏମ୍ଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment