ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହେବ। ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।
ସ୍ଵାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ଏବଂ ଅନ୍ୟ ରୋଗରେ ପୀଡ଼ିତ ପ୍ରାୟ ୨୭ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି
ଭାରତରେ ଏବେ ସୁଦ୍ଧା ଦୁଇଟି କୋଭିଡ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକା ଡିସିଜିଆଇଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ସବୁଜ ସଙ୍କେତ ହାସଲ କରିଛନ୍ତି। ବର୍ତ୍ତମାନ କେବଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ହିଁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ।କେତେ ସୁରକ୍ଷିତ କୋଭିଡ୍ ଟିକା?
କୋଭିଡ୍ ଟିକା କେତେ ସୁରକ୍ଷିତ ସେନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏହାର ପ୍ରମୁଖ କାରଣ ହେଲା, ଟିକାର ଟ୍ରାଏଲ୍ ଫେଜରେ ଅନେକ ଲୋକ ଅସୁସ୍ଥ ହେବା ଭଳି ଖବର ଆଗକୁ ଆସିଥିଲା। ତେଣୁ ଟିକାକରଣ ପରେ ଲୋକମାନେ ଅସୁସ୍ଥ ହୋଇପଡ଼ିବେ ବୋଲି ସନ୍ଦେହ କରୁଛନ୍ତି।
ତେବେ ଭାରତରେ ଏଯାବତ ଜରୁରୀ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଦୁଇ ଟିକା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ଭେଷଜ ନିୟନ୍ତ୍ରକ ମଧ୍ୟ ଏହା ଲୋକଙ୍କ ସୁରକ୍ଷିତ ବୋଲି କହିସାରିଛନ୍ତି। ନଚେତ୍ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିନଥାନ୍ତା।ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କ’ଣ ହେବ?
ଯଦି ସାଧାରଣ ଲୋକଟିଏ କୋଭିଡ୍ ଟିକା ନେବାପରେ ତା ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ କ’ଣ କରାଯିବ ସେନେଇ ଗତକାଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।
ଟିକାକରଣ ସମୟରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଏଇଏଫ୍ଆଇ (Adverse event following immunization) କିଟ୍ ରଖାଯିବ। ଏଥିରେ ଆବଶ୍ୟକୀୟ ମେଡିସନ୍ ଓ ଇଞ୍ଜେକ୍ସନ ରହିବ। ଏହାକୁ ପରିଚାଳନା କରିବା ଲାଗି ତାଲିମ ପ୍ରାପ୍ତ ଏଏନଏମ୍ ଉପସ୍ଥିତ ରହିବେ। ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି।
କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନେବେ କି ଟିକା?
କୋଭିଡରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇସାରିବା ପରେ ସେ ଟିକା ନେବା ଜରୁରୀ କି, ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାକ୍ତର ଓ ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି କୋଭିଡରୁ ସୁସ୍ଥ ହେବା ପରେ ତା’ ଶରୀରରେ କିଛି ସମୟ ପାଇଁ କୋଭିଡ୍ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଏପରି ହେଲେ ବ୍ୟକ୍ତିଜଣକ ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହେବାର ଭୟ ଥାଏ; କିନ୍ତୁ ଟିକା ନେଲେ ଏହି ଭୟ ଅଧିକାଂଶ ଭାବେ ଦୂର ହେବ ବୋଲି ଅନୁମାନ କରାଯାଉଛି।
କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଜଣେ ବ୍ୟକ୍ତି କରୋନା ଟିକା ନେଇପାରିବେ। ଏହାଠାରୁ କମ୍ ଦିନରେ କୋଭିଡ୍ ଟିକା ନେବାକୁ ବୈଜ୍ଞାନିକମାନେ ମନା କରିଛନ୍ତି।
ସମସ୍ତେ ଟିକା ନେବାକୁ ବାଧ୍ୟ କି?
ଭାରତର ଜନସଂଖ୍ୟା ଦୃଷ୍ଟିରୁ ସମସ୍ତ ଜନସାଧାରଣ କୋଭିଡ୍ ଟିକା ନେବା ଏକ କଷ୍ଟକର ବ୍ୟାପାର ହୋଇପାରେ। ସରକାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାପରେ ବୃଦ୍ଧ ଲୋକମାନଙ୍କୁ ଟିକାକରଣ କରାଯିବ। ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କୋଭିଡ୍ ଟିକା ନେଇପାରିବେ ନଚେତ୍ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିସାରିଛନ୍ତି।