ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ଟିକାକରଣକୁ ନେଇ ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା।

କରୋନା କଟକଣା ଓ ଭୟ ଭିତରେ ସମୟ କାଟୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର ଆସିଛି। ଜାନୁଆରି ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସରକାର ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଏବଂ ପରେ ଆଗଧାଡ଼ିର କରୋନା ଯୋଦ୍ଧା ଓ ବୟସ୍କମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେବେ। ତେବେ ଏହି ଟିକାକରଣ ପ୍ରକ୍ରିୟା କେମିତି ହେବ ଏବଂ ସରକାର ଏଥିପାଇଁ କି କି ପଦକ୍ଷେପ ନେଇଛନ୍ତି ତାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ।

ଜଣେ ସାଧାରଣ ଲୋକ କିମ୍ବା ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ଚାହିଁଲେ ଏଥିପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ ବୋଲି ଅନେକ ଜାଣିନାହାନ୍ତି।କେମିତି ହେବ ଟିକାକରଣ?

ସରକାରୀ ଯୋଜନା ମୁତାବକ କୋଭିଡ୍ ଟିକା ପ୍ରଥମେ ନିର୍ମାତାମାନଙ୍କଠାରୁ ଆସି ଦେଶର ଚାରୋଟି ବଡ଼ ଶୀତଳ ଭଣ୍ଡାରରେ ରଖାଯିବ। ଏହି ଚାରୋଟି ଶୀତଳ ଭଣ୍ଡାର କର୍ଣ୍ଣାଲ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ରହିଛି। ସେଠାରୁ କୋଭିଡ୍ ଟିକା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯିବ।

ରାଜ୍ୟମାନଙ୍କରେ କୋଭିଡ୍ ଟିକା ପହଞ୍ଚିବା ପରେ ସେଠାରୁ ଜିଲ୍ଲା ସ୍ତରକୁ କୋଭିଡ୍ ଟିକା ପହଞ୍ଚାଯିବ। ସେଠାରେ ଥିବା ବିଭିନ୍ନ ଟିକାକରଣ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଓ ସାଧାରଣ ଲୋକଙ୍କୁ ଦିଆଯିବ। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନକୁ ୧୨ ବର୍ଷରୁ ଅଧିକ ବର୍ଷର ପିଲାମାନେ ନେଇପାରିବେ ବୋଲି ଡିସିଜିଆଇ ଅନୁମତି ଦେଇସାରିଛନ୍ତି। ଜାନୁଆରି ୧୬ରେ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ଏହିସବୁ ପ୍ରକ୍ରିୟା ଦେଇ ଟିକାକରଣ ହେବ।କେମିତି ନେଇପାରିବେ ଟିକା?

ସରକାର ପ୍ରଥମେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟିକାକରଣ କରାଇବେ। ଏହାପରେ ଆଉ ୨୭ କୋଟି ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଏଥିପାଇଁ ସେମାନଙ୍କୁ ପ୍ରଥମେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ କରିବାକୁ ହେବ। ଏହି ଆପରେ ରେଜିଷ୍ଟ୍ରେସନ ନକଲେ କାହାକୁ ବି କୋଭିଡ୍ ଟିକା ଦିଆଯିବ ନାହିଁ।

ଏହି ଆପରେ ରେଜିଷ୍ଟ୍ରେସନ କରିବା ପରେ ମୋବାଇଲ ନମ୍ବରକୁ ଏକ ମେସେଜ୍ ଯିବ। ଏଥିରେ ଟିକାକରଣର ସମୟ, ତାରିଖ ଓ କେନ୍ଦ୍ର ଲେଖାଯାଇଥିବ। ଟିକା ନେବାକୁ ଥିବା ବ୍ୟକ୍ତିଜଣକ ସେହି ଅନୁଯାୟୀ ଯାଇ ନିଜେ ଟିକା ନେଇପାରିବେ।

ଅନ୍ୟପଟେ ଏହି ଆପରେ ରେଜିଷ୍ଟ୍ରେସନ କରିବାକୁ ହେଲେ ଗୋଟିଏ ଫଟୋ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ଡିଏଲ୍, ପାନ କାର୍ଡ, ପାସପୋର୍ଟ, ମନରେଗା କାର୍ଡ, ବ୍ୟାଙ୍କ୍ ଖାତା, ଭୋଟର ପରିଚୟ ପତ୍ର ଦେଇ ଟିକା ନେବାକୁ ଥିବା ଲୋକମାନେ ରେଜିଷ୍ଟ୍ରେସନ କରିପାରିବେ ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ ଏହି କୋ-ୱିନ ଆପ୍ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ହାସଲ କରିନାହିଁ। ଟିକାକରଣ ଆରମ୍ଭ ହେବା ପୂର୍ବରୁ ଏହାକୁ ସାର୍ବଜନୀନ କରାଯିବ ବୋଲି ସୂଚନା ମିଳିଛି।ଟିକାର ଦାମ କେତେ?

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଘୋଷଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦିଆଯିବାକୁ ଥିବା ୩୦ କୋଟି ଟିକା ମାଗଣାରେ ଯୋଗାଇଦିଆଯିବ। ଏଥିପାଇଁ ଲୋକଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କମାନେ ଏହାକୁ ମାଗଣାରେ ନେବେ।

ତେବେ କୋଭିଡ୍ ଟିକାର ଦାମକୁ ବିଚାର କଲେ ଜଣାପଡ଼ିବ ଯେ, କେନ୍ଦ୍ର ସରକାର କୋଭିସିଲ୍ଡ ଟିକାର ଗୋଟିଏ ଡୋଜକୁ ନିର୍ମାତା କମ୍ପାନିଠାରୁ ୨ ଶହରୁ ୩ ଶହ ଟଙ୍କା ଦେଇ କିଣିବେ।

ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କଣ ହେବ?

ଯଦି ସାଧାରଣ ଲୋକଟିଏ କୋଭିଡ୍ ଟିକା ନେବାପରେ ତା ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ କ’ଣ କରାଯିବ ସେନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

ଟିକାକରଣ ସମୟରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଏଇଏଫ୍‌ଆଇ (Adverse event following immunization) କିଟ୍‌ ରଖାଯିବ। ଏଥିରେ ଆବଶ୍ୟକୀୟ ମେଡିସନ୍‌ ଓ ଇଞ୍ଜେକ୍ସନ ରହିବ। ଏହାକୁ ପରିଚାଳନା କରିବା ଲାଗି ତାଲିମ ପ୍ରାପ୍ତ ଏଏନଏମ୍‌ ଉପସ୍ଥିତ ରହିବେ। ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍‌ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି।କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନେବେ କି ଟିକା?

କୋଭିଡରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇସାରିବା ପରେ ସେ ଟିକା ନେବା ଜରୁରୀ କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାକ୍ତର ଓ ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି କୋଭିଡରୁ ସୁସ୍ଥ ହେବା ପରେ ତା’ ଶରୀରରେ କିଛି ସମୟ ପାଇଁ କୋଭିଡ୍ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଏପରି ହେଲେ ବ୍ୟକ୍ତିଜଣକ ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହେବାର ଭୟ ଥାଏ; କିନ୍ତୁ ଟିକା ନେଲେ ଏହି ଭୟ ଅଧିକାଂଶ ଭାବେ ଦୂର ହେବ ବୋଲି ଅନୁମାନ କରାଯାଉଛି। କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଜଣେ ବ୍ୟକ୍ତି କରୋନା ଟିକା ନେଇପାରିବେ। ଏହାଠାରୁ କମ୍ ଦିନରେ କୋଭିଡ୍ ଟିକା ନେବାକୁ ବୈଜ୍ଞାନିକମାନେ ମନା କରିଛନ୍ତି।

ସମସ୍ତେ ଟିକା ନେବାକୁ ବାଧ୍ୟ କି?

ଭାରତର ଜନସଂଖ୍ୟା ଦୃଷ୍ଟିରୁ ସମସ୍ତ ଜନସାଧାରଣ କୋଭିଡ୍ ଟିକା ନେବା ଏକ କଷ୍ଟକର ବ୍ୟାପାର ହୋଇପାରେ। ଏପରି ସ୍ଥିତିରେ ଏବେ ସମସ୍ତ ଦେଶବାସୀ କୋଭିଡ୍ ଟିକା ନେବେ ନା କେବଳ ଅଳ୍ପ କିଛି ଲୋକ ଟିକା ନେବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ସରକାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାପରେ ବୃଦ୍ଧ ଲୋକମାନଙ୍କୁ ଟିକାକରଣ କରାଯିବ। ତେବେ ସାଧାରଣ ଲୋକଙ୍କୁ ଟିକା କେବେ ଦିଆଯିବ କି ବିଲକୁଲ୍ ଦିଆଯିବନି ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପଟେ ଦେଶରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କୋଭିଡ୍ ଟିକା ନେଇପାରିବେ ନଚେତ୍ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିସାରିଛନ୍ତି।

Comment