ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ଟିକାକୁ ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା।

ଜାନୁଆରି ୧୬ ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକାକରଣକୁ ନେଇ ସାଧାରଣ ଲୋକମାନେ ଏବେ ବି କିଛି ଦ୍ଵନ୍ଦ୍ଵରେ ଅଛନ୍ତି। ଲୋକଙ୍କ ମନରୁ ଏହିସବୁ ଦ୍ଵନ୍ଦ୍ଵ ଦୂରୀକରଣ ପାଇଁ ସୋମବାର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟିକାକରଣକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା।  କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନେବେ କି ଟିକା?

କୋଭିଡରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇସାରିବା ପରେ ସେ ଟିକା ନେବା ଜରୁରୀ କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି କୋଭିଡରୁ ସୁସ୍ଥ ହେବା ପରେ ତା’ଶରୀରରେ କିଛି ସମୟ ପାଇଁ କୋଭିଡ୍ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଜଣେ ବ୍ୟକ୍ତି କରୋନା ଟିକା ନେଇପାରିବେ। ଏହାଠାରୁ କମ୍ ଦିନରେ କୋଭିଡ୍ ଟିକା ନେବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ମନା କରିଛନ୍ତି।ସମସ୍ତେ ଟିକା ନେବାକୁ ବାଧ୍ୟ କି?

ଭାରତର ଜନସଂଖ୍ୟା ଦୃଷ୍ଟିରୁ ସମସ୍ତ ଜନସାଧାରଣ କୋଭିଡ୍ ଟିକା ନେବା ଏକ କଷ୍ଟକର ବ୍ୟାପାର ହୋଇପାରେ। ତେଣୁ ସମସ୍ତେ ଟିକା ନେବା ଜରୁରୀ ନୁହେଁ। କିନ୍ତୁ ଯେଉଁମାନେ ଟିକା ନେବାକୁ ଇଚ୍ଛୁକ ଅଛନ୍ତି ସେମାନେ ଏହା ନେଇ ପାରିବେ। କାରଣ ଜଣେ ଟିକା ନେବା ଦ୍ଵାରା ସେ ନିଜ ଜୀବନକୁ ସୁରକ୍ଷିତ କରିବା ସହ ନିଜ ପରିବାର ଏବଂ ପଡ଼ୋଶୀଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବେ। ତେଣୁ ଇଚ୍ଛା ମୁତାବକ ଜଣେ ଟିକା ନେଇପାରିବ।vaccinationପର୍ୟ୍ୟାୟକ୍ରମେ ହେବ ଟିକାକରଣ

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତନୁସାରେ ଏକାସଙ୍ଗରେ ଟିକାକରଣ କରାଯାଇପାରିବ ନାହିଁ। ତେଣୁ ଏହାକୁ ପର୍ଯ୍ୟାୟକ୍ରମେ କରାଯିବାକୁ ସରକାର ସ୍ଥିର କରିଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ବୟସ୍କ ଏବଂ ନାନା ରୋଗରେ ପୀଡ଼ିତ ଥିବା ବ୍ୟାକ୍ତିମାନଙ୍କୁ ଟିକା ଦିଆଯିବ। ତେବେ ସାଧାରଣ ଲୋକଙ୍କୁ ଟିକା କେବେ ଦିଆଯିବ କି ବିଲକୁଲ୍ ଦିଆଯିବନି ଏ ପ୍ରସଙ୍ଗରେ ବିଶେଷଜ୍ଞ କହନ୍ତି, ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ପରେ ହିଁ ସାଧାରଣ ଲେକଙ୍କୁ ଟିକା ଦିଆଯିବା ନେଇ ଚିନ୍ତା କରାଯିବ।ସ୍ଵାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଜରୁରୀ ନୁହେଁ

କରୋନା ଭୂତାଣୁ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦେବା ପାଇଁ ସରକାର ସ୍ଥିର କରିଛନ୍ତି। ତେବେ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ କି ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଵାସ୍ଥ୍ୟ ବିଶେଷଜ୍ଞ କହିବା ମୁତାବକ ସ୍ଵାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ ଟିକା ନେବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ସେମାନେ ସିଧାସଳଖ ଭୂତାଣୁର ସଂସ୍ପର୍ଶରେ ଆସୁନାହାନ୍ତି ତେଣୁ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ବେଳେ ଟିକା ଦିଆଯାଇ ପାରିବ।

Comment