ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସୋମବାର ଜିଲ୍ଲାପାଳ ଡାକ୍ତର ଅଜିତ ମିଶ୍ରଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଟ୍ରାକ୍ଟର ମାଲିକ, ଡ୍ରାଇଭର ଏବଂ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ସଂଘର ସଦସ୍ୟମାନେ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ପ୍ରଥମଥର ପାଇଁ ୨୫୦ରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସ୍ଥାନୀୟ ଚାମୁରିଆଗୁଦାରୁ ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘର ସଭାପତି କାହୁଁ ଦାସ ଏବଂ ଉପସଭାପତି ଲାଲୁ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରକୁ ବିଜେଡି, ବିଜେପି ଏବଂ କଂଗ୍ରେସର ଅନେକ ନେତା ସମର୍ଥନ କରିଥିଲେ।କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବିଜେପିର ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି ଜଗଦିଶ ବିଷୋୟୀ, ଅଭିବକ୍ତ କୋରାପୁଟ ଜୋନ୍ ବିଜେଡି ଯୁବ ମୋର୍ଚ୍ଚା ସଭାପତି ତାପସ ତ୍ରିପାଠୀ ପ୍ରମୁଖ ଟ୍ରାକ୍ଟର ସଂଘର ଏହି ଧାରଣାରେ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ରାଜୁତି ବଢ଼ିବାରେ ଲାଗିଛି। ଜିଲ୍ଲାରେ ତହସିଲଦାର ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ମାଫିଆମାନେ ଖୁଲମ୍ ଖୁଲା ବାହାର ରାଜ୍ୟକୁ ବାଲି ଚାଲାଣ କରୁଥିବା ନେଇ ମାଲିକ ସଂଘର ଦସ୍ୟଙ୍କ ସହିତ ସର୍ବଦଳୀୟ ନେତାମାନେ ମଧ୍ୟ ଅଭିଯୋଗ କରିଥିଲେ। ଖଣି ଓ ଶିଳ୍ପ ବିହୀନ ଜିଲ୍ଲା ନବରଙ୍ଗପୁର। ଆଖୁ, ମକା ଓ ଧାନ ଚାଷକୁ ଛାଡ଼ିଦେଲେ ପ୍ରକୃତି ଅନ୍ୟ ଉତ୍ପାଦନ ରେ ସହାୟକ ହୋଇପାରୁନାହିଁ।“ଜିଲ୍ଲାରେ ହଜାର ହଜାର ଯୁବକ ବେକାର ବସିଛନ୍ତି। ତେଣୁ ସେମାନେ ଟ୍ରାକ୍ଟର ବ୍ୟବସାୟକୁ ରୋଜଗାର ପନ୍ଥା ଭାବେ ଆପଣାଇଛନ୍ତି। ନିଲାମ ହୋଇଥିବା ଘାଟରୁ ବାଲି ଓ ପଥର ଆଣି ସରକାରୀ ଓ ବେସରକାରୀ ଠିକାଦାରଙ୍କୁ ବିକ୍ରି କରୁଥିବା ବେଳେ ସେମାନେ ତହସିଲଦାର ଓ ରାଜସ୍ଵ ଅଧିକାରୀମାନଙ୍କ ଚାପର ସମ୍ମୁଖୀନ ହେଉଛନ୍ତି। ଗୋଟେ ବାଲି ଟ୍ରିପ୍‌କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିବା ବର୍ତ୍ତମାନ ଏହା ୪୦୦୦ ହଜାରରୁ ୫୦୦୦ ହଜାର ହେବ। ଫଳରେ ସ୍ଥାନୀୟ ଲୋକେ ଘର ନିର୍ମାଣ, ସରକାରୀ ଯୋଜନାରେ ନିର୍ମାଣ ଆବାସ ଯୋଜନା, ଟେଣ୍ଡର ପ୍ରାପ୍ତ ଠିକାଦାରଙ୍କୁ ବାଲି ପାଇଁ ଅଧିକ ଟଙ୍କା ଦେବାକୁ ହେବ। ତେଣୁ ଜିଲ୍ଲାରେ ବିକାଶ ବନ୍ଦ ସହ ଆଗକୁ ବହୁ ଖରାପ ଆର୍ଥିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି”, କହିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ।

ଟ୍ରାକ୍ଟର ଡ୍ରାଇଭରମାନଙ୍କୁ ଟ୍ରେନିଂ କ୍ୟାମ୍ପ କରି ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ଜିଲ୍ଲାରୁ ବାହାର ରାଜ୍ୟକୁ ବାଲି ଚାଲାଣ ଉପରେ ରୋକ ଲଗାଇବା, ସ୍ଥାନୀୟ ଟ୍ରାକ୍ଟରକୁ ୩୫ ଟଙ୍କା ସିଏମ୍ ପିଛା ୩ ସିଏମ୍ ବାଲିର ରୟାଲିଟି କାଟିବା ସହ ବାଲି ଘାଟ ଓ ଖାଦାନଗୁଡିକରେ ରୟାଲିଟି କାଉଣ୍ଟର ଖୋଲିବା, ବାଲି ଉଠା କୁଲିଙ୍କୁ ଶ୍ରମିକ କାର୍ଡ ଦେଇ ଜନ ଜୀବନ ସୁରକ୍ଷିତ କରାଯାଉ ବୋଲି ଏଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସହ ସର୍ବଦଳୀୟ ନେତା ଓ ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ। ଟ୍ରାକ୍ଟର ଡ୍ରାଇଭରମାନଙ୍କ ଲାଇସେନ୍ସ ନେଇ ଆର୍‌ଟିଓ ସହ ଆଲୋଚନା କରିବା ପରେ ବାହାର ରାଜ୍ୟକୁ ବାଲି ଚାଲାଣ ଉପରେ ରୋକ ଲଗାଇବା ପାଇଁ ଏକ ଏନଫୋର୍ସମେଣ୍ଟ ଦଳ ଗଠନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବଦଳୀୟ ନେତାମାନେ ଦାବି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଯୁବ ମୋର୍ଚ୍ଚା ସଭାପତି ଅଖିଳ ଭତ୍ରା, ବିଜେଡି ନଗର ସଭାପତି ପ୍ରମୋଦ ରଥ, କଂଗ୍ରେସ ନଗର ସଭାପତି ଉତ୍ତମ ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ଦିଲୀପ ବେହେରା, ବୃନ୍ଦା ତ୍ରିପାଠୀ, ଟ୍ରାକ୍ଟର ମାଲିକ ସଂଘର ସମ୍ପାଦକ ସାନୁଜ ତ୍ରିପାଠୀ, ଭୀମ ହରିଜନ, ବାଲାଜୀ ମିଶ୍ର, ମହେଶ ତ୍ରିପାଠୀ, ବାବୁଲି ପାଣିଗ୍ରାହୀ, ଚନ୍ଦ୍ର ଭାନୁ ପଣ୍ଡା ଏବଂ ଦିଲ୍ଲୀପ ତ୍ରିପାଠୀଙ୍କ ସମେତ ନବରଙ୍ଗପୁରର ସମସ୍ତ ଟ୍ରାକ୍ଟର ମାଲିକ ଏବଂ ଶତାଧିକ ଡ୍ରାଇଭର ଓ ଶ୍ରମିକ ମାନେ ଯୋଗ ଦେଇଥିଲେ।

Comment