ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ କୁମାର ମିଶ୍ର। ସୋମବାର ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ବିକାଶ ହିଁ ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, “୨୧ ବର୍ଷ ତଳେ ଏହିଠାରୁ ହିଁ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ପରେ ମୁଁ ଏଠାକୁ ଫେରିଛି। ଜିଲ୍ଲାରେ ବହୁତ କିଛି ପରିବର୍ତ୍ତନ ହୋଇସାରିଲାଣି, ଆହୁରି ବିକାଶ ବାକି ଅଛି। ଆଦିବାସୀ ଲୋକଙ୍କ ଜୀବନ ଉନ୍ନତ କରିବା ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ମୋର ଗୁରୁତ୍ୱ ରହିବ।”

୧୯୯୯ ମସିହାରେ ରାୟଗଡ଼ା ଜିଲ୍ଲା ଗଠନ ହେବା ପରେ ସରୋଜ କୁମାର ମିଶ୍ର ଜାଗା ଅଧିଗ୍ରହଣ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀ ଭାବେ କାମ କରିଥିଲେ। ଏହାର ୨୧ ବର୍ଷ ପରେ ଏବେ ସେ ଜିଲ୍ଲାପାଳ ଭାବେ ରାୟଗଡ଼ା ଫେରିଛନ୍ତି। ଜିଲ୍ଲାରେ ଏବେବି ଅନେକ ପଛୁଆ ଅଞ୍ଚଳ ଥିବାରୁ ସେଠାକୁ ଗମନାଗମନ ସୁବିଧା ମଧ୍ୟ ଠିକ୍ ଭାବେ ନାହିଁ। ଜିଲ୍ଲାରେ ଗମନାଗମନ କ୍ଷେତ୍ରର ବିକାଶ ଆଣିବାକୁ ସେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Comment