ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୋକର ଭୂଗୋଳ ଏବେ ଓଡ଼ିଶାର ଭାତହାଣ୍ଡି
  • ଇନ୍ଦ୍ରାବତୀ ନଦୀ ଯୋଗୁ କଳାହାଣ୍ଡିର ରୂପାନ୍ତର ହୋଇପାରିଛି
  • ଇନ୍ଦ୍ରାବତୀ ମ୍ୟୁଜିୟମ, ପାର୍କ ଓ ମନ୍ଦିର ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 
  • ଇନ୍ଦ୍ରାବତୀ ମ୍ୟୁଜିୟମ କହିବ କଳାହାଣ୍ଡି ବିକାଶର କାହାଣୀ

କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ। ପୂର୍ବରୁ ଭୋକର ଭୂଗୋଳ କହିଲେ କଳାହାଣ୍ଡିକୁ ବୁଝାଯାଉଥିଲେ ଏବେ କିନ୍ତୁ ଏହା ଭାତହାଣ୍ଡିରେ ପରିଣତ ହୋଇଛି। ରାଜ୍ୟର ସବୁ ଜିଲ୍ଲା ଭିତରୁ କଳାହାଣ୍ଡିରୁ ଦ୍ୱିତୀୟ ସର୍ବାଧିକ ଧାନ ସଂଗ୍ରହ ହେଉଛି। ଗୁରୁବାର କଳାହାଣ୍ଡି ଜିଲ୍ଲାରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତରେ ଆଜି ୫୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବାବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜୟପାଟଣା ବ୍ଲକ୍‌ର ମଙ୍ଗଳପୁରଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁବାବୁ ୯୦ ଦଶକରେ ଭବାନୀପାଟଣା ଆସିବା ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। ହେଲେ ସେ ବିଶାଳ ହୃଦୟରେ ସେମାନଙ୍କୁ କ୍ଷମା କରିଦେଇଥିଲେ। କଳାହାଣ୍ଡିବାସୀ ବିଜୁ ବାବୁଙ୍କୁ ବହୁତ ଭଲ ପାଆନ୍ତି ଏବଂ ବିଜୁ ବାବୁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲପାଆନ୍ତି ବୋଲି ବିଜୁ ବାବୁ ନବୀନ ଆଜି କହିଛନ୍ତି।ଅନ୍ୟପଟେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରର କଥାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସେବା ପାଇଁ ଯେତେବେଳେ ସେ ସୁଯୋଗ ପାଇଲେ, ସେତେବେଳେ ବିଜୁ ବାବୁଙ୍କର ସେହି କଥା ତାଙ୍କ ମନକୁ ଆସୁଥିଲା। କଳାହାଣ୍ଡିର ବିକାଶ ପାଇଁ ତାହା ତାଙ୍କୁ ମାର୍ଗ ଦେଖାଉଥିଲା, ଏ ଭିତରେ କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୂର୍ବରୁ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି। କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ କଳାହାଣ୍ଡି ଚାଉଳ ଯୋଗାଉଛି।  ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଜିଲ୍ଲା ଏକାକି ସେତିକି ଚାଉଳ ଯୋଗାଉଛି। ଏସବୁ କେବଳ କଳାହାଣ୍ଡିର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ଼ ଇଚ୍ଛା ଶକ୍ତି, ଗଭୀର ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁ ହୋଇପାରିଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସଂଗ୍ରହ ଋତୁରେ କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି। ଜଳସେଚନ ସୁବିଧା ମଧ୍ୟ ୩ ଗୁଣ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପୁଷ୍ଟିକ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ ଶ୍ରେଷ୍ଠ ହୋଇପାରିଛି। ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ କଳାହାଣ୍ଡି ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି।  ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ ଥିଲା। ଏବେ କିନ୍ତୁ ଏହି ହାର ଯଥେଷ୍ଟ କମିସାରିଛି। କଳାହାଣ୍ଡିର ଏହି ରୂପାନ୍ତରର ସବୁ ଇନ୍ଦ୍ରବତୀ ନଦୀ ଯୋଗୁ ହୋଇପାରିଛି ବୋଲି ନବୀନ କହିଛନ୍ତି।

ଅନ୍ୟପଟେ ଇନ୍ଦ୍ରାବତୀଠାରେ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସଂଗ୍ରହାଳୟ ସାରା ବିଶ୍ୱକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ।  ଏହି ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ। ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ କହିଥିଲେ।

Comment