ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଏସଆଇଟିର ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ମନା କରିଦେଇଛି। ତେଣୁ ଏହି ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାନ୍ତି। ଏହାପରେ ଏସଆଇଟି ଅଭିଯୁକ୍ତର ଲେବୁଲ ଭଏସ୍ ଟେଷ୍ଟ (ଏଲ୍‌ଭିଏ) ପାଇଁ କୋର୍ଟରେ ଆବେଦନ କରିଛି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ସରକାରୀ ଓକିଲ ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ପରୀ ହତ୍ୟା ମାମଲାରେ ପ୍ରଥମେ ଗିରଫ ହୋଇଥିବା ଅଭିଯୁକ୍ତକୁ ଗତ ୫ ତାରିଖରେ ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ବିବେଚନା କରି ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ମାମଲାର ବିଚାର ହସ୍ତାନ୍ତର କରିଥିଲେ। ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟିର ଆବେଦନ ଜାନୁଆରି ୮ ତାରିଖରେ ଶୁଣାଣି ହୋଇଥିଲା। ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ଲିଖିତ ଭାବେ ଅସହମତି ଜଣାଇବା ଫଳରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ମଧ୍ୟ ନାର୍କୋ ଟେଷ୍ଟ ଆବେଦନକୁ ନା କରିଥିଲେ। ଏହାପରେ ମାମଲାର ଶୁଣାଣି ପାଇଁ ବୁଧବାର ଅନୁଗୁଳ ବାଳ ସୁଧାର ଗୃହରୁ ଅଭିଯୁକ୍ତ ନାବାଳକକୁ ନୟାଗଡ଼ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଥିଲା। ଘଟଣାରେ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ତାର ବ୍ରେନ୍ ମ୍ୟାପିଂ ନେଇ ତଦନ୍ତକାରୀ ଦଳ ଏସଆଇଟି ପକ୍ଷରୁ ଜାନୁଆରି ୮ରେ ଆବେଦନ କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ଏଥିପାଇଁ ରାଜି ହୋଇ ନ ଥିଲେ। ଏହାପରେ କୋର୍ଟ ମଧ୍ୟ ବ୍ରେନ୍ ମ୍ୟାପିଂ ପାଇଁ ଅନୁମତି ଦେଇ ନଥିଲେ।

ଏପରି ସ୍ଥିତିରେ ବୁଧବାର ଏସଆଇଟି ପକ୍ଷରୁ ଅଭିଯୁକ୍ତର ଲେବୁଲ ଭଏସ୍ ଟେଷ୍ଟ (ଏଲ୍‌ଭିଏ) ପାଇଁ ଆବେଦନ କରାଯାଇଛି। ଏହାର ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ ହୋଇଥିବା ସରକାରୀ ଓକିଲ ବଳଭଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ପରୀ ହତ୍ୟା ମାମଲାରେ ଆଇନ ସହ ଅଭିଯୁକ୍ତର ଦ୍ୱନ୍ଦ୍ୱ ରହିଛି ଏବଂ ସେ ଏସ୍ଆଇଟିକୁ ତଦନ୍ତରେ ସହଯୋଗ କରୁ ନ ଥିବାରୁ ମାମଲାରେ କିଭଳି ବଳିଷ୍ଠ ତଥ୍ୟ ପ୍ରମାଣ ଉପସ୍ଥାପନ କରାଯିବ ତା ଉପରେ ବିଚାର ବିମର୍ଶ କରାଯାଉଥିବା ସରକାରୀ ଓକିଲ କହିଛନ୍ତି।

Comment