ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ଗୁରୁବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଯେତେବେଳେ ମନ୍ଦିର ଖୋଲିବ ସେମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ମଗାଯିବ ନାହିଁ। ତେଣୁ ଏହି କାରଣରୁ ମନ୍ଦିରରେ ପ୍ରବଳ ଭିଡ ହେବା ଅନୁମାନ କରାଯାଉଛି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଦୈନିକ ୩୦ ହଜାର ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ। ଯଦି ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ହୁଏ, ତେବେ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି।ଜାନୁଆରୀ ୨୧ରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ କରିବା ପାଇଁ ଆଉ କରୋନା ନେଗେଟିଭ ରିପୋର୍ଟ ଦରକାର ପଡିବ ନାହିଁ ବୋଲି ମନ୍ଦିର ପ୍ରଶାସନ ଘୋଷଣା କରିଛନ୍ତି। ଏଣୁ ପ୍ରଥମ କିଛି ଦିନ ମନ୍ଦିରରେ ଭୀଷଣ ଭିଡ଼ ହୋଇପାରେ। ତେଣୁ ଯଦି ଦରକାର ହୁଏ ତେବେ ମନ୍ଦିରର ମୁଖ୍ୟ ଦ୍ୱାର କିଛି ସମୟ ବନ୍ଦ କରି ଦିଆଯିବ। ଗୋଟିଏ ପର୍ଯ୍ୟାୟରେ ଭକ୍ତ ଦର୍ଶନ କରି ଫେରିବା ପରେ ବାହାରେ ଅପେକ୍ଷାରତ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ।

ବଡ଼ ଦାଣ୍ଡରେ ଯେଉଁ ବ୍ୟାରିକେଡିଙ୍ଗ କରାଯାଇଛି ସେଥିରେ ଘଣ୍ଟାକୁ ୬ ହଜାର ଭକ୍ତ ଧାଡି ବାନ୍ଧି ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଯାଇପାରିବେ। ଯଦି ମନ୍ଦିର ଭିତରେ ଗହଳି ଲାଗି ରହେ, ବ୍ୟାରିକେଡ଼ ଭିତରେ ଅପେକ୍ଷା କରିବାକୁ ଭକ୍ତଙ୍କୁ କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comment