ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରରେ ସୋମବାର ୩୨ମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ ହୋଇଛି। ନୂତନ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଜିଲ୍ଲାବାସୀଙ୍କୁ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବା ସହିତ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରଥଟି ଆସନ୍ତା ସପ୍ତାହ ଯାଏଁ ସବୁ ବ୍ଲକରେ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ଜଣାଯାଇଛି।

“ସମଗ୍ର ବିଶ୍ୱ ତୁଳନାରେ ଭାରତରେ ସର୍ବାଧିକ ସଡକ ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନୀ ଘଟିଥାଏ। ସେହିପରି ସାରା ଦେଶରେ ସର୍ବାଧିକ ଓଡିଶାରେ ସଡକ ଦୁର୍ଘଟଣା ଘଟୁଥିବାରୁ ରାଜ୍ୟରେ ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ରହିଛି। ତେଣୁ ରାସ୍ତାରେ ଯିବା ସମୟରେ ମଦ୍ୟପାନ ନକରି ଗାଡି ଚଳାଇବା ଓ ସଡକ ନିୟମ ମାନି ଗାଡି ଚଳାଇଲେ ହିଁ ଦୁର୍ଘଟଣାକୁ ଏଡାଇ ହେବ”, କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଥର ୧ମାସ ଯାଏଁ ଏହି ସଡକ ସୁରକ୍ଷା ସଚେତନତା ସପ୍ତାପ ପାଳନ ହେବ। ଗତବର୍ଷ ସେପ୍ଟେମ୍ବର ୧ତାରିଖଠାରୁ ସାରା ଦେଶରେ ନୂତନ ମୋଟର ଯାନ ଆଇନ ପ୍ରଣୟନ କରାଯାଇଥିବା ବେଳେ ଆଇନ ସଂକ୍ରାନ୍ତରେ ଅଧିକ ସଚେତନତା କରିବା ପାଇଁ ଆଗାମୀ ମାସକ ପର୍ଯ୍ୟନ୍ତ ପ୍ରୟାସ କରାଯିବ ବୋଲି ଅଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ ସୂଚନା ଦେଇଛନ୍ତି।

ଏହିକ୍ରମରେ ପରିବହନ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ ରଖିଥିବା ଜଣାଯାଇଛି । ସଚେତନତା ସହିତ ଜିଲ୍ଲାରେ କଡା ଯାଞ୍ଚ ପୂର୍ବକ ମୋଟର ଯାନ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯିବ। ଆସନ୍ତା ୨୩ ତାରିଖ ଦିନ ଏକ ବାଇକ ରାଲି ଓ ୨୪ତାରିଖ ଦିନ ପଦଯାତ୍ରା ଆୟୋଜିତ ହେବା ସହିତ ସହରବାସୀଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯିବାକୁ ଲକ୍ଷ ରହିଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ଏବଂ ସୂଚନା ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment