ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପାଣିପାଗ ଅମାନିଆ ହୋଇ ପଡ଼ିଛି। କେତେବେଳେ ଶୀତ ତ କେତେବେଳେ ଗରମ। ଚଳିତ ଜାନୁଆରି ମାସରେ ପ୍ରତି ଦୁଇ ତିନି ଦିନରେ ଥରେ ପାଣିପାଗ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।

ଗତ ତିନି ଦିନ ଧରି ରାତିରେ ତାପମାତ୍ରା ୨/୩ ଡିଗ୍ରୀ ବଢିବା ଲକ୍ଷ୍ୟ କରାଯାଇଥିବା ବେଳେ ଶୁକ୍ରବାର ରାତିଠାରୁ ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ପାଣିପାଗ ବିଭାଗ କର୍ତ୍ତୃପକ୍ଷ।

ଠିକ ସେହିଭଳି ଦିନର ତାପମାନ ବି ବଦଳିବାରେ ଲାଗିଛି। ଜାନୁଆରି ୧୦ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ଥିଲା। ଏହି ସମୟରେ ପ୍ରାୟ ୨୯ ଡିଗ୍ରୀ ରହିବା କଥା। ଗତ ୪ ବର୍ଷ ତୁଳନାରେ  ଚଳିତ ବର୍ଷ ଜାନୁଆରି ମାସ ପ୍ରଥମ ସପ୍ତାହରେ ତାପମାତ୍ରା ସର୍ବାଧିକ ଥିଲା।

ତେଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ପାଖାପାଖି ଦଶଟି ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବା ସହ କିଛି ଜିଲ୍ଲାରେ ଅନ୍ଧାର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଭାଗ କହିଛି।

ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି ଯେ ପବନର ଗତି ବଦଳିବା ହେତୁ ପାଣିପାଗରେ ତାରତମ୍ୟ ରହୁଛି। ବିଶେଷ କରି ପଶ୍ଚିମରେ ବଦଳୁଥିବା ସ୍ଥିତି ଯୋଗୁଁ ଏହା ହେଉଛି।

କେନ୍ଦ୍ର ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ କହିବା କଥା ଯେ ଏହା ଅସ୍ୱାଭାବିକ ନିଶ୍ଚିତ। ବଙ୍ଗୋପସାଗର କୂଳରେ ଓ ପଶ୍ଚିମ ଭାରତରେ ଶୀତ ଅନୁଭୂତ ହେଉଥିବାରୁ ଓଡ଼ିଶାରେ ମଧ୍ୟ ଆଗାମୀ ତିନି ଚାରି ଦିନ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ସେ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଜାନୁଆରି ୨୫ ତାରିଖରୁ ପ୍ରାୟ ପବନର ଦିଗ ବଦଳିବ ଓ ସେଥିପାଇଁ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ।

Comment