ଓଡ଼ିଶାଲାଇଭ୍ ବ୍ୟୁରୋ

  • +୨ ଓ +୩ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଉପଯୋଗୀ କୋଚିଂ
  • ସୁନ୍ଦରଗଡ଼, ରାଉରକେଲା ଓ ବଣାଇଁରେ କୋଚିଂ କେନ୍ଦ୍ର
  • ୬ଟି ଖଣି ପ୍ରଭାବିତ ବ୍ଲକ, ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ। ମଙ୍ଗଳବାର ଦିନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭାରମ୍ଭ କରିଛନ୍ତି।ସୁନ୍ଦରଗଡ଼ ସହରର ପତ୍ରାପାଲିଠାରେ ଉଦଘାଟିତ ହୋଇଥିବା ‘ସୁଦକ୍ଷ’କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଏହି ସପ୍ତାହରେ ରାଉରକେଲା ଏବଂ ବଣାଇଁଠାରେ ଆଉ ଦୁଇଟି କେନ୍ଦ୍ର ଉଦଘାଟିତ ହେବାକୁ ଯାଉଛି।

ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ ମାଗଣାରେ ଆବଶ୍ୟକ କୋଚିଂ ଓ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ପାଇଁ ଏକ ଅଭିନବ ପଦକ୍ଷେପ ହେଉଛି ‘ସୁଦକ୍ଷ’କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।‘‘ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ +୨ ଓ +୩ ପାସ୍ କରିଥିବା ତଥା ନିଯୁକ୍ତି ଆଶାୟୀ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ଦିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶେଷକରି ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ, ଅନୁସୂଚିତ ଜାତି ଓ ଜନଜାତି, ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଡିଏମଏଫର ସିଇଓ ରସାଇ ଲାଗୁରୀ, ନିୟତି ଫାଉଣ୍ଡସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଇତିଶ୍ରୀ ପଣ୍ଡା, ଡିଏମଏଫର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦୀପୁ ଶଙ୍କର ସାମଲ ଏବଂ ଅଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ ତିନିମାସିଆ କୋଚିଂ ପ୍ରଦାନ କରାଯାଉଛି। ଏଥିପାଇଁ ସୁଦକ୍ଷ କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ମାଗଣାରେ କୋଚିଂ ସହ ହଷ୍ଟେଲରେ ରହିବା, ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି।

‘‘ସେନା ବାହିନୀରେ ଯୋଗ ଦେବାକୁ ମୁଁ ଚାହୁଁଛି। ହେଲେ ଏଥିପାଇଁ ମୁଁ ଆବଶ୍ୟକ ପ୍ରସ୍ତୁତି କରିପାରୁ ନଥିଲି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମରେ ମତେ ମାଗଣାରେ ପ୍ରଶିକ୍ଷଣର ସୁଯୋଗ ମିଳିଛି। ମୁଁ ମୋ’ ସ୍ୱପ୍ନକୁ ଏବେ ସାକାର କରିବି’’, କହିଛନ୍ତି ସୁନ୍ଦରଗଡ଼ କୋଚିଂ କେନ୍ଦ୍ରରେ ନାମ ଲେଖାଇଥିବା ଛାତ୍ରୀ ଯାଜ୍ଞସେନୀ ବାରିକ।

‘‘ବିନା କୋଚିଂରେ ମୁଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲି। ହେଲେ ପରୀକ୍ଷାରେ ନିର୍ଦ୍ଦିଷ୍ଟ ଅବଧି ଭିତରେ କେମିତି ଉତ୍ତର ଦେବାକୁ ପଡ଼ିବ ତାହା ଜାଣି ନଥିଲି। ଏବେ ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ ମୁଁ ନାମ ଲେଖାଇଛି। ଏଠାରେ ଆବଶ୍ୟକ ପ୍ରଶିକ୍ଷଣ ନେଇ ମୁଁ ମୋର କ୍ୟାରିଅର ଗଢ଼ିବି’’, କହିଛନ୍ତି ଛାତ୍ର ସୁବାସ ବାରିକ।ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯିବ।

Comment