ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହଣୀ): କେନ୍ଦ୍ରାପଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଆଠ ବର୍ଷ ଶିଶୁର ଗଳାକୁ କେହି କାଟି ଫେରାର ହୋଇଯାଇଛି। ପିଲାଟି ଖେଳୁଥିବା ସମୟରେ ଏପରି ଘଟିଛି। ଗୁରୁତର ଅବସ୍ଥାରେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେହି ପିଲାଚୋର ଏହି କାଣ୍ଡ କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁବିହୁଡା ଗ୍ରାମର କୈଳାଶ ବେହେରାଙ୍କ ଘରକୁ ଆସିଥିଲେ ତାଙ୍କର ୮ ବର୍ଷର ଭଣଜା ପପୁନି ଦଳାଇ। ଆଈଙ୍କ ମୃତ୍ୟୁର ଶୁଦ୍ଧିକ୍ରିୟା ପାଇଁ ପାପୁନି ଓ ତାଙ୍କ ବୋଉ ମାମୁଙ୍କ ଘରକୁ ଆସିଥିଲେ। ବୁଧବାର ସନ୍ଧ୍ୟାରେ ପାପୁନି ତାର ସାଙ୍ଗସାଥିଙ୍କ ସହିତ ଲୁଚକାଳି ଖେଳୁଥିଲା। ଲୁଚକାଳି ଖେଳୁଖେଳୁ ପାପୁନି ଏକ ଅଙ୍ଗନବାଡି ଘର ମଧ୍ୟରେ ଲୁଚିବାକୁ ଚାଲିଯାଇ ଆଉ ଫେରିନଥିଲା। ଚାରିଆଡେ ଖୋଜାଖୋଜି କରି ମିଳିନଥିଲା ପାପୁନି। ଶେଷରେ ଅଙ୍ଗନବାଡି ଘରେ ଖୋଜୁଖୋଜୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାପୁନିକୁ ଉଦ୍ଧାର ହୋଇଥିଲା।

ପାପୁନିର ବେକରେ ୩ଟି ସ୍ଥାନରେ କଟା ହୋଇଥିବାବେଳେ ତାର ହାତର ଆଙ୍ଗୁଠିକୁ ମଧ୍ୟ ଛେଚି ରକ୍ତାକ୍ତ କରାଯାଇଥିବା ସନ୍ଦେହ କରାଯାଉଛି। ଗୁରୁତର ଅବସ୍ଥାରେ ତାକୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିl ତେବେ କିଏ କାହିଁକି ଏଭଳି କାଣ୍ଡ ଘଟାଇଛି ବୋଲି ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏପରି ଲୋମଟାଙ୍କୁରା ଘଟଣା ଏବେ ସ୍ଥାନୀୟ ଗ୍ରାମଗୁଡ଼ିକରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏବେ ଚାରିଆଡେ ପିଲାଚୋରଙ୍କ ଆତଙ୍କ ସୃଷ୍ଟି ହୋଇଥିବାବେଳେ, ଏହା ଏକ ପିଲାଚୋରର କାଣ୍ଡ ବୋଲି ଚର୍ଚ୍ଚା ଆରମ୍ଭ ହେଇଛି। କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣାରେ ତଦନ୍ତ କରୁଛି। କିନ୍ତୁ କେତେକଙ୍କ କହିବା କଥା କି ଆହତ ଶିଶୁଟି ଏକ ମାନସିକ ବିକୃତ ହୋଇଥିବାରୁ ସେ ନିଜେ ନିଜେ ଏହି ଘଟଣା ଘଟାଇ ଥାଇପାରେ। ତେବେ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ।

Comment