ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ଗୁରୁବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଛି। ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଏକ ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କ୍ୟାନସର ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁଁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତ୍ତମାନ ସମୟରେ ସହଜ ହୋଇ ପଡ଼ିଛି। ଏଥିସହ ରୋଗୀଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତ୍ତମାନ ଉପଲବ୍ଧ ହୋଇ ପାରୁଛି।ସମ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର। କୋଭିଡ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଥିବା ସବ୍ୟସାଚୀ ନିଜ ବକ୍ତବ୍ୟରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ “ଆଶାର ଦୂତ’ ବୋଲି ଅଭିହିତ କରିଥିଲେ। ଏହି ଦୂତମାନେ  ଅନ୍ୟ ରୋଗୀମାନଙ୍କ ମନରେ କ୍ୟାନସର ଭଳି ରୋଗ ସହ ଲଢ଼ି ତାକୁ ପରାସ୍ତ କରିବାପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରନ୍ତୁ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କ୍ୟାନସର ନିରାକରଣ ପାଇଁ ଆଗୁଆ ଚିହ୍ନଟ ଜରୁରୀ ବୋଲି ସହମତି ପ୍ରକାଶ କରିବା ସହ ସମ୍ ହସ୍ପିଟାଲରେ ଏହି ରୋଗର ଚିହ୍ନଟ ଓ ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସୂଚନା ଦେଇଥିଲେ।

କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସୋଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୨୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଏବଂ କୋଭିଡ କେୟାର ସେଣ୍ଟର ଆରମ୍ଭ କରାଯାଇ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଏହି ମହତ୍ କାର୍ଯ୍ୟ ନିମନ୍ତେ ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ପାରା ମେଡିକ୍ସମାନଙ୍କୁ ପ୍ରଫେସର ସାମନ୍ତସିଂହାର ଶୁଭେଚ୍ଛା ଜଣାଇଥିଲେ। ସମ୍ ହସ୍ପିଟାଲର ଏହି କୋଭିଡ ଯୋଦ୍ଧାମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିବା ସହ ମହାମାନବ ବୋଲି ମଧ୍ୟ ଅଭିହିତ କରିଥିଲେ।

ସେହିପରି ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡକ୍ଟର ସୁନିଲ୍ ଅଗ୍ରୱାଲ ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡକ୍ଟର ସରୋଜ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ। ଡକ୍ଟର ଅଗ୍ରୱାଲ କହିଥିଲେ ଯେ, ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କଣ ଚିନ୍ତା କରୁଛନ୍ତି ସେ ଦିଗରେ ସଚେତନ ହେବା ଜରୁରୀ।

Comment