ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକର ୧୧୦ଟି ବିଦ୍ୟାଳୟରେ ଗତ ଅକ୍ଟୋବର ୧୫ରୁ ଏହି କାର୍ଯ୍ୟକ୍ରମ ପ୍ରାଥମିକ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। କଲ୍ୟାଣସିଂହପୁର ବ୍ଲକରେ ଜାନୁଆରି୨୭ ତାରିଖରୁ ଏହାର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ଏହା ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ବର୍ତ୍ତମାନ ଯାଏଁ ସିଙ୍ଗାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କତାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଧାମୁଣିପାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଲ୍ୟାଣସିଂହପୁର, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସୁଳିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଝିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବୁଡାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସିଆରସିସିଙ୍କ ମଧ୍ୟରେ ପ୍ରଫୁଲ୍ଲ ସଢ଼ଙ୍ଗି, ଧନେଶ୍ଵର ଯାନି, ସୁଶିଲ କୁମାର ମହାପାତ୍ର, ରମେଶ ବିଡ଼ିକା, ପ୍ରଫୁଲ୍ଲ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସୂଚାରୁ ରୂପେ ପ୍ରତିଯୋଗିତା କରାଇ ଥିଲେ। ଭାରତ ଜ୍ଞାନ ବିଜ୍ଞାନ ସମିତିର କଲ୍ୟାଣସିଂହପୁର ବ୍ଲକ ସଂଯୋଜକ ସନ୍ତୋଷ କୁମାର ବଛା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବିଦ୍ୟାଳୟରେ ପ୍ରଥମେ ହାତଧୁଆ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରା ଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ଏହାପରେ ଚିତ୍ରାଙ୍କନ, କୁଇଜ୍ ଓ ରଚନା ପ୍ରତିଯୋଗିତା କରା ଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଚୟନ କରି ପୁରସ୍କୃତ କରାଯାଇଥିଲା।

କୋଭିଡ୍-୧୯ ହେତୁ ବିଦ୍ୟାର୍ଥୀ ମାନେ ଅନେକ ଦିନ ଘରବନ୍ଦୀ ହୋଇ ରହିଥିଲେ ବର୍ତ୍ତମାନ ବିଦ୍ୟାଳୟକୁ ଆସି ତାଙ୍କୁ ପାଠ୍ୟକ୍ରମ ସହ ମାନସିକ ସ୍ତରରେ ଆକୃଷ୍ଟ କରି ଯୋଡ଼ି ସ୍ୱଚ୍ଛ ବିଦ୍ୟାଳୟ ଓ ସ୍ୱଚ୍ଛ ପରିବେଶ ପାଇଁ ସଚେତନ କରିବା ଏଇ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇଛି।

Comment