ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ରବିବାର ବରଫ ଅତଡ଼ା ଖସି ଏକ ଭୟଙ୍କର ବିପର୍ଯ୍ୟୟ ଘଟିଛି। ଏହି ଘଟଣାରେ ପ୍ରାୟ ୧୭୦ ଜଣ ଲୋକ ନିଖୋଜ ଥିବା ବେଳେ ଏଯାବତ୍ ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।  ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି।

ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ଏକ ନିର୍ମାଣଧୀନ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୦୦-୧୫୦ଲୋକ ପାଣିରେ ବହିଯାଇଥିଲେ। ଏଥିସହ ବନ୍ୟାପାଣି ମାଡ଼ିଯାଇ ପାଖ ଆଖ ଗାଁଗୁଡ଼ିକ ମଧ୍ୟ ଭାସି ଯାଇଥିଲେ। ପାଣିର ବେଗ ଏତେ ଥିଲା ଯେ, କିଛି ଭାବିବା ଆଗରୁ ସବୁ କିଛି ଘଟିଗଲା।ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ କିମ୍ଵା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ଘୋଷଣା ହୋଇଛି।ଏହି ଘଟଣାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଗଙ୍ଗା ନଦୀ ତଟବର୍ତ୍ତୀ ୩୫୦ ଗ୍ରାମ ପାଇଁ ବିପଦ ଆଶଙ୍କା ରହିଛି। ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନଯିବା ପାଇଁ କୁହାଯାଇଛି। ପ୍ରଶାସନ ତେହରି ଡ୍ୟାମରୁ ଜଳ ପ୍ରବାହ ବନ୍ଦ ରଖିଛି ଏବଂ ଯଥା ସମ୍ଭବ ଡ୍ୟାମ୍‌ରେ ପାଣି ଅଟକାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୁଦ୍ରପ୍ରୟାଗରେ ହାଇ ଆଲର୍ଟ ଜାରି ହେବା ସହ ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଛି।

Comment