ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଜଣେ ଓଡ଼ିଆ ପୁଅ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ବୋଲି ଜଣାପଡ଼ିଛି। ଯୁବକଙ୍କ ନାମ ନାଗାର୍ଜୁନ ଦାସ। ଏପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳିପାରିନାହିଁ। ନାଗାର୍ଜୁନ ଉତ୍ତରାଖଣ୍ଡରେ କ୍ରେନ ଡ୍ରାଇଭର ଭାବେ କାମ କରୁଥିଲେ। ଏଭଳି ପ୍ରଳୟ ପରେ ତାଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ ହୋଇ ପାରୁନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ଯୁବକଙ୍କ ପରିବାର ଲୋକ।ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଉତ୍ତରାଖଣ୍ଡରେ ପୁଣି ଦେଖା ଦେଇଛି ଏକ ପ୍ରାକୃତିକ ବିପର୍ଯ୍ୟୟ। ଉତ୍ତରାରାଖଣ୍ଡ ଚାମୋଲିର ତପୋବନରେ ରବିବାର ହିମସ୍ଖଳନ ହୋଇଛି। ଏଥିରେ ଧୋଇ ହୋଇଯାଇଛି ଉପକୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ଅନେକ ଜନବସତି। ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତଦେହ ମିଳିଥିବା ବେଳେ ଏବେ ବି ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅନ୍ୟପଟେ ଡ୍ୟାମର ସୁଡ଼ଙ୍ଗରେ ଫସି ରହିଥିବା ପ୍ରାୟ ୩୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।ସେହିପରି ନିର୍ମାଣଧୀନ ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ଓ ଏନଟିପିସ ପ୍ଲାଣ୍ଟ ଅଞ୍ଚଳରେ ନିଖୋଜ ଥିବା ଶ୍ରମିକଙ୍କୁ ଏବେ ବି ଖୋଜା ଯାଉଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ସେନାର ଯୋଶୀ ମଠକୁ ପଠାଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Comment