ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ନେଇ କେନ୍ଦ୍ର ସରକାରଙ୍କ ଏକ ବିବାଦୀୟ ଚିଠା ଅଧିନିୟମକୁ ପ୍ରତ୍ୟାହାର କରି ନିଆଯାଇଛି। ସୋମବାର ଦିନ ଏହି କେନ୍ଦ୍ରୀୟ କୀର୍ତ୍ତିରାଜି ନିୟମକୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ଟୁଇଟ କରିଛି। ଏହି ଚିଠା ପ୍ରସ୍ତାବରେ ରହିଥିଲା ଯେ ନାସନାଲ ମନୁମେଣ୍ଟ ଅଥରିଟିର ନିୟମ ଅନୁଯାୟୀ ଶ୍ରୀମନ୍ଦିର ଓ ଅନ୍ୟ ଦୁଇଟି ମନ୍ଦିର ଚାରିପଟେ କୌଣସି ନିର୍ମାଣ କାର୍ଯ୍ୟ ସମ୍ପାଦନ କରା ଯାଇପାରିବ ନାହିଁ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତାଙ୍କ ଟୁଇଟରେ କହିଛନ୍ତି ଯେ, ବିଜେଡି ଓ ବିଜେପିର ଏକ ସଂସଦୀୟ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କଠାରୁ ସବୁ କଥା ଶୁଣିବା ପରେ ପ୍ରସ୍ତାବିତ ନିୟମକୁ ବାତିଲ କରିବା ପାଇଁ ଏନଏମଏକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଏହି ବିବାଦୀୟ ନିୟମ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ଅଧ୍ୟକ୍ଷଙ୍କ ବିନା ଜାଣତରେ ଏହି ବାଇ-ଲ’ଟି ଅଣାଯାଇଥିଲା ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରତିନିଧି ଦଳକୁ କହିଥିଲେ।

Comment