ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପାଇଁ ଲାଗିଥିବା ବାଇ-ଲ’ ପ୍ରତ୍ୟାହାର ପରେ ତେଜିଛି ରାଜନୀତି।

ସବୁ ମହଲରେ ପ୍ରତିବାଦ ସ୍ୱର ଉଠିବାପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଟ୍ୱିଟ୍ କରି ଏନେଇ ସୂଚନା ଦେଇଥିଲେ। ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିୟମକୁ ଉଚ୍ଛେଦ କରାଯାଇଛି। ତେବେ ଅନେକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଏହି ବାଇ-ଲ’ଟି କ’ଣ। ଏହାକୁ ନେଇ ଏବେ ଓଡ଼ିଶାରେ ରାଜନୀତି ମଇଦାନ ଏତେ ସରଗରମ କାହିଁକି।ବାଇ-ଲ’ କ’ଣ?

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଦ୍ଵାରା ଦେଶର ବିଭିନ୍ନ ମନ୍ଦିର ପାଇଁ ଲାଗୁ କରାଯାଉଥିବା ଆଇନକୁ ବାଇ-ଲ’ ବା ଅଧିନିୟମ କୁହାଯାଏ। ଏହି ଆଇନ ଲାଗୁ ହେବା ଦ୍ଵାରା ସଂପୃକ୍ତ ମନ୍ଦିର ଚତୁଃପାର୍ଶ୍ଵରେ ୧୦୦ ମିଟର ପରିମିତି ଅଞ୍ଚଳ ମଧ୍ୟରେ କୌଣସି ଘର, ଦୋକାନ ରହିପାରିବ ନାହିଁ। ଏଥିସହ ମନ୍ଦିର ଚତୁଃପାର୍ଶ୍ଵର ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ କିଛି ବି ବିକାଶ କାର୍ଯ୍ୟ ଯେପରି କି ବ୍ୟବସାୟିକ ନିର୍ମାଣ ଖନନ କରାଯିବା, ଘର ନିର୍ମାଣ ଆଦି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ମୋଟାମୋଟି ଉପରେ କହିଲେ ଏହି ଐତିହ୍ୟ ସୁରକ୍ଷା ଆଇନ ମନ୍ଦିର ଚାରି ପାଖରେ ରହୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ କଠୋର ହେବ।ଶ୍ରୀମନ୍ଦିର ପାଇଁ ବାଇ-ଲ’କୁ ବିରୋଧ କାହିଁକି?

ପୁରୀ ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ପ୍ରଶାସନ ରହିଛି। ତେଣୁ ମନ୍ଦିରର ସମସ୍ତ ହାନି ଲାଭ କାର୍ଯ୍ୟ ପାଇଁ ପ୍ରଥମେ ପ୍ରଶାସନର ଅନୁମତି ଆବଶ୍ୟକ। ପ୍ରଶାସନ ପରେ ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗରେ ସମାନ ଅଧିକାର ରଖୁଛନ୍ତି। ମନ୍ଦିରର ନୀତି ନିୟମ ପାଇଁ ସ୍ଵତନ୍ତ୍ର ସମ୍ଵିଧାନ ରହିଥିବା ବେଳେ ମାର୍ଗଦର୍ଶନ ପାଇଁ ଗୁରୁ ଭାବେ ଶଙ୍କରାଚାର୍ଯ୍ୟ ମଧ୍ୟ ରହିଛନ୍ତି। ତେଣୁ ନିୟମ ଅନୁସାରେ ଶ୍ରୀମନ୍ଦିର ପାଇଁ ଏପରି ଆଇନ ପ୍ରଚଳନ କରିବା ପୂର୍ବରୁ କେନ୍ଦ୍ରକୁ ମନ୍ଦିର ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ମତାମତ ନେବାକୁ ପଡ଼ିବ।

ମହାପ୍ରଭୁଙ୍କ ନୀତିକାନ୍ତି ଓ ପୂଜାକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସେବାୟତ ଏବଂ ପୂଜାପଣ୍ଡାମାନଙ୍କର ସାହି ରହିଛି। ତେଣୁ ଶ୍ରୀମନ୍ଦିର ପାଇଁ ଯଦି ବାଇ-ଲ’ ଲାଗୁ ହୋଇଥାନ୍ତା ତେବେ ମନ୍ଦିର ଚତୁଃପାର୍ଶ୍ଵର ୭୫ମିଟରରୁ ୧୦୦ମିଟର ଭିତରେ ସମସ୍ତ ନିର୍ମାଣ କାର୍ଯ୍ୟ ଭାଙ୍ଗିଦିଆ ଯାଇଥାନ୍ତା। ଫଳରେ ଅଧିକାଂଶ ସେବାୟତଙ୍କ ସାହି ମଧ୍ୟ ଉଚ୍ଛେଦ ହୋଇଯିବାର ସମ୍ଭାବନା ଥିଲା। ଏହାର ସିଧାସଳଖ ପ୍ରଭାବ ମହାପ୍ରଭୁଙ୍କ ନୀତିକାନ୍ତି ଓ ପୂଜା ଉପରେ ପଡ଼ିବ। ସେହିପରି ୧୦୦ରୁ ୩୦୦ ମିଟର ପର୍ଯ୍ୟନ୍ତ କୌଣସି ବି ବିକାଶ କାମ ପାଇଁ ସରକାରଙ୍କ ଅନୁମତିର ଆବଶ୍ୟକତା ପଡ଼ିଥାନ୍ତା।

କିଛି ମାସ ପୂର୍ବରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ପ୍ରାୟ ୭୫ ମିଟର ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରିବା ପାଇଁ ଉଚ୍ଛେଦ କରାଯାଇଥିଲା। ଏହାଦ୍ଵାରା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏହି ଉଚ୍ଛେଦ ସମୟରେ ଅନେକ ବଡ଼ ବଡ଼ ମଠ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା କେତେକ ପୁରୁଣା ମନ୍ଦିର ମାଟିରେ ମିଶିଯାଇଛି। ଏଥିପାଇଁ ଅନେକ ବ୍ୟକ୍ତିଙ୍କୁ ସାମାଜିକ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।ବାଇ-ଲ’କୁ ନେଇ ସରଗରମ ହୋଇଛି ଓଡ଼ିଶା ରାଜନୀତି

ବାଇ-ଲ’ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତି ମଇଦାନ ସରଗରମ ହେବାରେ ଲାଗିଛି। ଉଭୟ ଶାସକ ଓ ବିରୋଧୀ ବାଇ-ଲ’ ଉଚ୍ଛେଦର ଶ୍ରେୟ ନେବାକୁ କରୁଛନ୍ତି ପ୍ରତିଯୋଗିତା। ବିଭିନ୍ନ ମହଲରୁ ଦାବି ହେବାପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏହି ଆଇନକୁ ସୋମବାର ପ୍ରତ୍ୟାହାର କରାଯାଇଛି। କିନ୍ତୁ ଆଇନ ପ୍ରତ୍ୟାହାରର ଶ୍ରେୟ ନେବାକୁ ରାଜନୀତିସ୍ତରରେ ଟଣାଓଟରା ଚାଲିଛି।

ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଅଜାଣତରେ ଶ୍ରୀମନ୍ଦିର ପାଇଁ ଏହି ଆଇନ ଅଣାଯାଇଥିବା କହି ସଫେଇ ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ତେବେ ଏତେ ବଡ଼ ନିଷ୍ପତ୍ତି କେମିତି ଜଣେ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀ ନେଇପାରିଲେ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment