ଓଡ଼ିଶାଲାଇଭ୍ ବ୍ୟୁରୋ

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଚଳିତ ବର୍ଷ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି। ଆରବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ ବୋଲି କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ।

ନାଗାର୍ଜୁନ ବେଶକୁ ନେଇ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକମାନଙ୍କ  ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟମାନେ।ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ୨୦୨୦ ନଭେମ୍ବର ୨୭ ତାରିଖରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ପଡ଼ିଥିଲା। କିନ୍ତୁ କୋଭିଡ୍ ୧୯ କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେବେ ଠିକ୍ ଏହି ସମୟରେ ୨୦୨୧ ମସିହା ନଭେମ୍ବର ୧୫ ତାରିଖରେ ମଧ୍ୟ ନାଗାର୍ଜୁନ ବେଶ ହେବ ବୋଲି ହାୱା ଉଠିବାରୁ ଅନେକ ଭକ୍ତ ବହୁତ ଖୁସି ହୋଇଯାଇଥିଲେ। ଏ ବର୍ଷ ନ ହେଲା ନାହିଁ, ଆର ବର୍ଷ ତ ଦର୍ଶନ କରିବୁ, ଏଇ ଆଶାରେ। କିନ୍ତୁ ୨୦୨୧ ମସିହାରେ ନାଗାର୍ଜୁନ ବେଶ ହେବ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଛି।ନିୟମାନୁସାରେ କାର୍ତ୍ତିକ ଶୁକ୍ଳ ଦେବୋତ୍ଥାପନୀ ଏକାଦଶୀଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ପାଞ୍ଚଦିନରେ ଶ୍ରୀଜଗନ୍ନାଥଙ୍କର ପାଞ୍ଚଟି ବେଶ ହୁଏ।  ଦେବୋତ୍ଥାପନୀ ଏକାଦଶୀ ଦିନ ଠିଆକିଆ ବା ଶ୍ରୀଲକ୍ଷ୍ମୀନାରାୟଣ ବେଶ, ଦ୍ଵାଦଶୀ ଦିନ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀ ଦିନ ଶ୍ରୀଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶ ହୁଏ। କିନ୍ତୁ ଯେଉଁବର୍ଷ ଦ୍ଵାଦଶୀ, ତ୍ରୟୋଦଶୀ ବା ଚତୁର୍ଦ୍ଦଶୀ ଦିନ ମଳ ତିଥି ପଡ଼ିବା ଯୋଗୁ ପଞ୍ଚକ ପାଞ୍ଚଦିନ ବଦଳରେ ଛଅଦିନ ହୁଏ, ସେ ବର୍ଷ ଉକ୍ତ ମଳ ତିଥିରେ ନାଗାର୍ଜୁନ ବେଶ ହୁଏ।

୨୦୨୧ ମସିହା ରାଧାରମଣ ଓ କୋହେନୂର ପ୍ରେସ କ୍ୟାଲେଣ୍ଡରକୁ ଆଧାରକରି କୁହାଯାଉଛି ଯେ, ୨୦୨୧ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବ। କିନ୍ତୁ ୨୦୨୧ରେ ପଞ୍ଚକ ଛଅଦିନ ନୁହେଁ, ପାଞ୍ଚଦିନ ପଡୁଛି। ଏହା ବି ଉକ୍ତ କ୍ୟାଲେଣ୍ଡର ଦୁଇଟିରେ ଉଲ୍ଲେଖ ଅଛି, ଅର୍ଥାତ୍ ଦେବୋତ୍ଥାପନୀ ଏକାଦଶୀ ନଭେମ୍ବର ୧୫ରେ ଓ ରାସ ପୂର୍ଣ୍ଣିମା ୧୯ରେ ଅଛି। ସୁତରାଂ ୧୫ରୁ ପଞ୍ଚକ ଆରମ୍ଭ ହୋଇ ୧୯ରେ ଶେଷ ହେବ ବା ପଞ୍ଚକ ପାଞ୍ଚଦିନ ହିଁ ପଡ଼ିବ। ତେଣୁ ଶ୍ରୀଜଗନ୍ନାଥଙ୍କର ପାଞ୍ଚଦିନରେ ଛଅଟି ବେଶ ହୋଇପାରିବ ନାହିଁ।

Comment