ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଟିଆ ପ୍ରସଙ୍ଗରେ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଓଡ଼ିଶା
  • ନିର୍ବାଚନ ରୋକିବାକୁ ତୁରନ୍ତ ଶୁଣାଣି ପାଇଁ ଓଡ଼ିଶାର ନିବେଦନ
  • ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଛି ଜନସ୍ଵାର୍ଥ ମାମଲା
  • ଇତିହାସ, ଭୂଗୋଳରେ କୋଟିଆ ଓଡ଼ିଶାର

କୋଟିଆ ନିର୍ବାଚନୀ ପ୍ରସଙ୍ଗରେ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି। ଗୁରୁବାର ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି। କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଘଟଣା କୋର୍ଟଙ୍କ ଆଦେଶକୁ ଅବମାନନା କରାଯାଉଥିବା ଦର୍ଶାଇ ଓଡ଼ିଶା ସରକାର ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ନିର୍ବାଚନ ରୋକିବାକୁ ତୁରନ୍ତ ଏହି ମାମଲାର ଶୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ସରକାର।

ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିଲେ। ଏହି ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟନଗରମ୍ ଜିଲ୍ଲାପାଳ ଡକ୍ଟର ଏମ ଏଚ ଜଓ୍ଵାହାରଲାଲ୍, ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍ ରମେଶ କୁମାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ କୋରାପୁଟର କିଛି ଅଞ୍ଚଳ ଉପରେ ନିଜର ସ୍ଥିତି ଜାହିର କରୁଛି ଆନ୍ଧ୍ର। ଏପରିକି ଆସନ୍ତା ୧୩ ଓ ୧୭ ରେ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ନିର୍ବାଚନ କରିବାକୁ ଆନ୍ଧ୍ର ଘୋଷଣା କରିଛି।

ଅନ୍ୟପଟେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ଓଡ଼ିଶା ହାଇକୋର୍ଟରେ କୋଟିଆ ପ୍ରସଙ୍ଗକୁ ନେଇ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଛି। ଉଭୟ ଇତିହାସ ଏବଂ ଭୂଗୋଳରେ କୋଟିଆ ଓଡ଼ିଶାର ହୋଇଥିବା ଦର୍ଶାଇଛି ପରିଷଦ। କିନ୍ତୁ ଆନ୍ଧ୍ର ସରକାର କୌଶଳକ୍ରମେ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳକୁ ନିଜ ରାଜ୍ୟ ସହ ସାମିଲ କରିବାକୁ ବାରମ୍ଵାର ପ୍ରଚେଷ୍ଟା କରି ଆସୁଛି। ତେଣୁ ସୀମା ସୁରକ୍ଷା ନେଇ ଓଡ଼ିଶା ସରକାରଙ୍କୁ କିଛି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଭାରତୀୟ ବିକାଶ ପରିଷଦ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

Comment