ଓଡ଼ିଶାଲାଇଭ୍ ବ୍ୟୁରୋ

କୋହଳ ହୋଇଛି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା। ଏଣିକି ପୂର୍ବପରି ସବୁଦିନ ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ। ଶୁକ୍ରବାର ଅର୍ଥାତ୍ ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। କୋଭିଡ ନିୟମ ସହିତ ଦର୍ଶନ ବ୍ୟବସ୍ଥାକୁ କିପରି ସୁରୁଖୁରୁରେ କରାଯାଇ ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ଗାଇଲାଇନ ଜାରି ହୋଇଛି।ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କୁ ଏହିସବୁ ନିୟମ ପାଳନ କରିବାକୁ ପଡ଼ିବ;

ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ କେତେକ କରୋନା ଗାଇଡଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଗାଇଡଲାଇନଗୁଡ଼ିକ ହେଉଛି –

  • ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ପ୍ରତିଟି ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ।
  • ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁମାନେ ନିଜ ହାତକୁ ସାନିଟାଇଜ କରିବେ।
  • ଦେଉଳକୁ ପ୍ରବେଶ ପୂର୍ବରୁ ଏବଂ ଦେଉଳ ଭିତରେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ।

ସେହିପରି ବଡ଼ ଦେଉଳକୁ ପ୍ରବେଶ ପରେ ଭକ୍ତମାନେ କେଉଁ କେଉଁ କାର୍ଯ୍ୟ କରିପାରିବେ ନାହିଁ ସେ ବାବଦରେ ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ,

  • ଶ୍ରୀମନ୍ଦିର ଭିତରେ ଦର୍ଶନ ସମୟରେ କୌଣସି ମୂର୍ତ୍ତି କିମ୍ଵା ପ୍ରତିମୂର୍ତ୍ତିକୁ ଛୁଇଁ ପାରିବେନି ଭକ୍ତ।
  • ବଡ଼ ଦେଉଳ ମଧ୍ୟରେ ପାନ, ଗୁଟୁଖା ଖାଇବା କିମ୍ଵା ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
  • ଯଦି କେହି ଏପରି କରୁଥିବା ବେଳେ ଧରାପଡ଼ିବେ ସେମାନଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
  • ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରାଯାଇଛି।
  • ଯଦି କେହି ଦେଉଳ ମଧ୍ୟକୁ ପଲିଥିନି ବ୍ୟାଗ୍ ନେଇକି ଆସିବେ ତାଙ୍କଠାରୁ ୧୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ସେହିପରି ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ଏବଂ ମହାପ୍ରସାଦ ସେବନ କରିବା ନେଇ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଛି। ପ୍ରଶାସନ ପକ୍ଷରୁ ଚିହ୍ନିତ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତମାନେ ଦୀପ ଜାଳି ପାରିବେ। ସେହିପରି ଆଜିଠାରୁ ଆନ୍ଦନବଜାରରେ ସର୍ବସାଧାରଣ ମହାପ୍ରସାଦ ସେବନ ଆରମ୍ଭ ହେଉଥିବା ବେଳେ ପ୍ରଶାସନ ଦ୍ଵାରା ଚିହ୍ନିତ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରିପାରିବେ।

ଶ୍ରୀମନ୍ଦିରକୁ ପ୍ରବେଶ ଏବଂ ପ୍ରସ୍ଥାନ କିପରି କରିବେ?

  • ବଡ଼ ଦେଉଳକୁ ପ୍ରବେଶ ପାଇଁ ଜୋତା ଷ୍ଟାଣ୍ଡ ଆରପଟେ ଥିବା ବ୍ୟାରିକେଟରେ କ୍ୟୁ ଧାଡ଼ି ବ୍ୟବସ୍ଥାରେ ଭକ୍ତମାନେ ଯିବେ।
  • ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ।
  • ଦର୍ଶନ ସାରିବା ପରେ ସିଂହଦ୍ଵାରକୁ ଛାଡ଼ି ଅନ୍ୟ ୩ଟି ଦ୍ଵାର ଦେଇ ପ୍ରସ୍ଥାନ କରିବେ।
  • ଶ୍ରୀମନ୍ଦିରର ଉତ୍ତର-ପୂର୍ବ ପଟରେ ଥିବା ଜୋତା, ବ୍ୟାଗ ଷ୍ଟାଣ୍ଡରେ ଶ୍ରଦ୍ଧାଳୁମାନେ ନିଜ ଜିନିଷପତ୍ର ରଖିପାରିବେ।

Comment