ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଓଡ଼ିଶା ସରକାର ଏକ ନୀତି ପ୍ରଣୟନ କରିବେ। ଏହି ନୀତି ଅନୁଯାୟୀ ଜଣେ ହାଇସ୍କୁଲର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ ପ୍ରତି ପଞ୍ଚାୟତରେ ଥିବା ସମସ୍ତ ସ୍କୁଲର କ୍ଳଷ୍ଟର ହେଡ୍ ରୂପେ ନିଯୁକ୍ତ ହେବେ। ଏଥିସହିତ ପଞ୍ଚାୟତର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟକୁ ତଦାରଖ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରତି ପଞ୍ଚାୟତର କ୍ଲଷ୍ଟର ହେଡ୍ ନିଯୁକ୍ତି ପାଇଁ ଏହି ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ବରିଷ୍ଠତା ଭିତ୍ତିରେ ଚୟନ କରାଯିବ। ତାଙ୍କୁ ପ୍ରଶାସନିକ ଓ ଆର୍ଥିକ କ୍ଷମତା ବି ଦିଆଯିବ।

ଯଦି କୌଣସି ପଞ୍ଚାୟତରେ ଶିକ୍ଷକ ଅଭାବ ରହିଛି, ଅନ୍ୟ ସ୍କୁଲରୁ ରୋଟେସନ ଭିତ୍ତିରେ ଶିକ୍ଷକ ଆଣିବା ଦାୟିତ୍ୱ କ୍ଲଷ୍ଟର ହେଡ୍ ତୁଲାଇବେ। ପ୍ରତି ପଞ୍ଚାୟତରେ ପ୍ରାୟ ୩୦ ଜଣ ଶିକ୍ଷକ ରହୁଥିବାରୁ ସେମାନଙ୍କୁ ସୁପରିଚାଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।ସେହିପରି ଅନ୍ୟ ଏକ ନିଷ୍ପତ୍ତି କ୍ରମରେ ରାଜ୍ୟର ସମସ୍ତ ୨୧୪ ଆଦର୍ଶ ସ୍କୁଲର ସୁପରିଚାଳନା ପାଇଁ ଯେଉଁ ଛାତ୍ର ଛାତ୍ରୀଙ୍କ ଘର ୫ କିଲୋମିଟରରୁ ଅଧିକ ଦୂରରେ ଥିବ ସେମାନଙ୍କୁ ପରିବହନ ଖର୍ଚ୍ଚ ଦିଆଯିବ। ତା’ ଛଡା ଯେଉଁ ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀ ହଷ୍ଟେଲରେ ରହୁନାହାନ୍ତି ସେମାନଙ୍କୁ ମଧ୍ୟ ଯାତାୟାତ ଖର୍ଚ୍ଚ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା, ମୋ ସ୍କୁଲ ଯୋଜନାରେ ଯେଉଁ ସବୁ ସ୍କୁଲ ଅଧିଗ୍ରହଣ ହେଉଛି ସେହି ସ୍କୁଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଠିକା ଭିତ୍ତିରେ ସୁଇପର ନିଯୁକ୍ତ ହେବେ। ଅନ୍ୟପଟେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍କୁଲର ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜନ କରାଯିବ ଓ ସେମାନଙ୍କ ଖର୍ଚ୍ଚ ସ୍କୁଲ ବହନ କରିବ।

Comment