ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ଖେଳ ପାଇଁ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିବାରେ ସୁନ୍ଦରଗଡ଼ର ଭୂମିକା ଅତୁଳନୀୟ। ଏହା କେବଳ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି କରିନାହିଁ ବରଂ ଭାରତୀୟ ହକିରେ ବି ଆଣି ଦେଇଛି ଅନେକ ଗର୍ବିତ ସମୟ। ଏହାସହ ବିଶ୍ୱ ହକି ନକ୍ସାରେ ସୁନ୍ଦରଗଡ଼ ହାସଲ କରିଛି ସ୍ୱତନ୍ତ୍ର ସ୍ଥାନ। ଏଠାକାର ମାଟି, ପାଣି ପବନ ବି କହେ ହକିର କାହାଣୀ। ତେବେ ଭାରତୀୟ ହକିରେ ସୁନ୍ଦରଗଡ଼ର ଭୂମିକା ଏବଂ କାହିଁକି ସୁନ୍ଦରଗଡ଼କୁ ହକିର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି ଜାଣନ୍ତୁ ଏହି ରିପୋର୍ଟରେ….

ଭାରତରେ ହକି କଥା ପଡ଼ିଲେ ପ୍ରଥମେ ସୁନ୍ଦରଗଡ଼ର ନାଁ ଆସେ। ଗୋଟିଏ ଖେଳକୁ ନେଇ ଏହି ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି। ଉଭୟ ପୁରୁଷ ଓ ମହିଳା ହକିରେ ଏହି ଜିଲ୍ଲା ଭାରତର ପ୍ରତିନିଧିତ୍ୱ କରିଆସିଛି। ଏମାନେ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ସହିତ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟକଟି ଆଦିବାସୀ ପରିବାରରେ ହକି ଖେଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏମିତିକି ପ୍ରାୟ ସମସ୍ତଙ୍କ ଘରେ ହକି ଷ୍ଟିକ ଓ ବଲ୍‌ ଥିବା ଦେଖିବାକୁ ମିଳେ। ଏଠାକାର ପିଲାମାନଙ୍କ ରକ୍ତରେ ହିଁ ହକି ପ୍ରତିଭା ରହିଛି ବୋଲି କୁହାଯାଉଛି। ଜିଲ୍ଲାର ଯେକୌଣସି ଗାଁକୁ ଗଲେ ଅପରାହ୍‌ଣ ସମୟରେ ବହୁସଂଖ୍ୟାରେ ପିଲାମାନେ ଏକାଠି ହୋଇ ହକି ଅଭ୍ୟାସ କରୁଥିବା ଦେଖିବାକୁ ମିଳେ। ଏମିତିକି ଏହି ଖେଳ ଜିଲ୍ଲାବାସୀଙ୍କ ଜୀବନଯାପନ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି।

 ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼?

ଜାତୀୟ ଓ ଅନ୍ତର୍ଜାତୀୟ ହକିରେ ସୁନ୍ଦରଗଡ଼ର ଅବଦାନ ଅତୁଳନୀୟ। ସୁନ୍ଦରଗଡ଼ ଜିଲ୍ଲାକୁ ହକି ଖେଳ କେବେ, କେମିତି ଆସିଲା ଏ ପଶ୍ନ ନିଶ୍ଚୟ ସମସ୍ତଙ୍କ ମନରେ ଉଠେ। ତେବେ ଏ ସଂକ୍ରାନ୍ତରେ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ତେବେ କୁହାଯାଏ ଯେ ସୁନ୍ଦରଗଡ଼ ଓ ହକିର ସମ୍ପର୍କ ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଛି। ଏହି ଖେଳ ପାଇଁ କୌଣସି ବିଶେଷ ସରଞ୍ଜାମର ଦରକାର ପଡ଼ୁନଥିବାରୁ ଏହାର ଆକର୍ଷଣ ବଢ଼ିବାକୁ ଲାଗିଲା। ଗଛର ଡାଳ ଓ ଅନ୍ୟ ଅଳିଆ, କାଗଜ ଆଦିକୁ ବଲ ଭଳି ଗଡ଼େଇ ଏଥିରେ ପିଲାଏ ହକି ଖେଳୁଥିଲେ। କେହି କେହି କହନ୍ତି ସୁନ୍ଦରଗଡ଼ବାସୀ କୁଆଡ଼େ ଇଂରେଜମାନଙ୍କ ସହ ହକି ଖେଳୁଥିଲେ। ଏହାପରେ ହକି ପ୍ରତି ସେମାନଙ୍କ ରୁଚି ବଢ଼ିଲା ଓ ଇଂରେଜମାନଙ୍କ ସହ ଖେଳୁ ଖେଳୁ ସେମାନଙ୍କ ଖେଳରେ ସୁଧାର ବି ଆସିଲା। ସୁନ୍ଦରଗଡ଼ ଆନ୍ତର୍ଜାତିକ ହକି ଜଗତକୁ ଦେଇଛି ଅନେକ ହକି ତାରକା। ଆନ୍ତର୍ଜାତିକ ହକି ନକ୍ସାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ପରିଚୟ ଥିବାରୁ ସୁନ୍ଦରଗଡ଼କୁ ହକିର ଅନ୍ତୁଡ଼ିଶାଳ କୁହାଯାଏ।

ହକି ଜଗତକୁ ଅନେକ ତାରକା ଦେଇଛି ସୁନ୍ଦରଗଡ଼

ଏହି ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ଲାଜାରୁସ ବାର୍ଲା, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ,  ଜ୍ୟୋତିସୁନୀତା କୁଲୁ, ଆନ୍ନାରିଟା କେର୍କେଟା, ଲିଲିମା କଜୁର, ସୁନୀତା ଲାକ୍ରା, ଉଇଲିୟମ ଖାଲକୋଙ୍କ ଭଳି ଅନେକ ପ୍ରତିଭା ବାହାରିଛନ୍ତି। ସବୁଠୁ ଖାସ କଥା ହେଉଛି ଏମାନଙ୍କ ମଧ୍ୟରୁ ପୁରୁଷ ହକି ଦଳରେ ଦିଲ୍ଲୀପ ତିର୍କୀ, ପ୍ରବୋଧ ତିର୍କୀ ଅଧିନାୟକ ରହି ସାରିଛନ୍ତି। ସେହିପରି ମହିଳା ଭାରତୀୟ ମହିଳା ହକି ଦଳରେ ସୁନୀତା ଲାକ୍ରା ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି।

ସୁନ୍ଦରଗଡ଼ରେ ହକିର ପ୍ରଚାର ପ୍ରସାରରେ ‘ଜୟପାଲ ସିଂହ ହକି’ର ଭୂମିକା

ଜିଲ୍ଲାରେ ହକିର ପ୍ରଚାର ଓ ପ୍ରସାର ଲାଗି ଯଦି କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମକୁ ଶ୍ରେୟ ଦିଆଯାଏ ତେବେ ତାହା ହେଉଛି ‘ଜୟପାଲ ସିଂହ ହକି ପ୍ରତିଯୋଗିତା’। ଅତୀତରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଜୟପାଲ ସିଂହଙ୍କ ନାଁରେ ନାମିତ ଏହି ପ୍ରତିଯୋଗିତା ୧୯୭୫ ମସିହାରେ ରାଉରକେଲାରେ ଆରମ୍ଭ ହୋଇଥିଲା। ଲଗାତର ୧୭/୧୮ ବର୍ଷ ପ୍ରତିଯୋଗିତାର ଆୟୋଜନ ପରେ କେବଳ ଆର୍ଥିକ ସମସ୍ୟା ଯୋଗୁଁ ଏଥିରେ ଅନିୟମିତତା ଦେଖାଦେଇଥିଲା।

ଖାସି ହକି ପ୍ରତିଯୋଗିତା

ହକିକୁ ସୁନ୍ଦରଗଡ଼ି ଜିଲ୍ଲାରେ ଲୋକପ୍ରିୟ କରାଇପାରେ ଖାସି (ଛେଳି) ହକି ପ୍ରତିଯୋଗିତା ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ମଜାଦାର କଥା ହେଲା ଏହି ପ୍ରତିଯୋଗିତାରେ ଯେଉଁ ଦଳ ବିଜୟ ହୁଏ ତାଙ୍କୁ ଏକ ଖାସି ପୁରସ୍କାରରେ ମିଳେ। ସେହିପରି ଦ୍ୱିତୀୟ ପୁରସ୍କାର ଭାବେ ଟିକିଏ କମ୍‌ ଓଜନର ଖାସି ମିଳେ। ଜିଲ୍ଲାସାରା ଆୟୋଜନ ହେଉଥିବା ଏହି ପ୍ରତିଯୋଗିତାରେ ବହୁସଂଖ୍ୟକ ଦଳ ଭାଗ ନେଇଥାନ୍ତି।

ହକିର ଇତିହାସ

ହକି ଖେଳର ଇତିହାସ ବହୁ ପୁରାତନ। ଲୋକଙ୍କ ବଲ ଓ ବାଡ଼ି ଖେଳରୁ ହକି ଖେଳର ସୃଷ୍ଟି ବୋଲି କୁହାଯାଏ। ବିଶ୍ୱର ବିଭିନ୍ନ ଭାଗରେ ଥିବା ସଂଗ୍ରହାଳୟରୁ ପ୍ରମାଣ ମିଳେ ଯେ ପ୍ରଥମେ ରୋମାନ ଓ ଗ୍ରୀକମାନେ ପ୍ରଥମେ ଏକ ବାଡ଼ି ଓ ବଲ୍‌କୁ ବ୍ୟବହାର କରି ହକି ଭଳି ଏକ ଖେଳୁଥିଲେ। ତେବେ ଆଧୁନିକ ହକି ଖେଳର ସୃଷ୍ଟି ଇଂଲଣ୍ଡରୁ ହୋଇଛି। ୧୮୬୧ ମସିହାରେ କ୍ଲାକହିଥରେ ବିଶ୍ୱର ପ୍ରଥମ ହକି କ୍ଲବ ଗଠିତ ହୋଇଥିଲା। ୧୮୭୬ ମସିହାରେ ଇଂଲଣ୍ଡରେ ବିଶ୍ୱରେ ସର୍ବପ୍ରଥମ ହିକ ଆସୋସିଏସନ ଗଠନ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ହିକ ଖେଳର ନିୟମ ପ୍ରସ୍ତୁତ ହୋଇଥିଲା। ଭାରତରେ ବ୍ରିଟଶ ଶାସନରେ ସମୟରେ ହକିର ଲୋକପ୍ରିୟତା ବଢ଼ିଥିଲା। ୧୮୮୫-୮୬ ମସିହାରେ କୋଲକାତାରେ ପ୍ରଥମ ହକି କ୍ଲବ ଗଠିତ ହୋଇଥିଲା। ୧୯୦୮ରେ ମସିହାରେ ପ୍ରତିଷ୍ଠିତ ବେଙ୍ଗଲ ହକି ହେଉଛି ଭାରତର ପ୍ରଥମ ହକି ଆସୋସିଏସନ। ଏହାପରେ ହକିର ଲୋକପ୍ରିୟତା ଏତେ ବଢ଼ିଥିଲା ଯେ, ଏହା ସାରାଦେଶକୁ ବ୍ୟାପି ଯାଇଥିଲା। ସବୁଠୁ ଖାସ ଏହି ଖେଳକୁ ଓଡ଼ିଶା, ଝାଡ଼ଖଣ୍ଡ, ଛିତଶଗଡ଼ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ବେଶୀ ଭଲ ପାଇଥିଲେ।

Comment