ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ ସହିତ ପିପିଲି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ  ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପିପିଲିବାସୀଙ୍କୁ ୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ପ୍ରକଳ୍ପ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ, ସେତୁ, ଷ୍ଟାଡିୟମ, ବସଷ୍ଟାଣ୍ଡ ଆଦି ବିଭିନ୍ନ କାମ କରାଯିବ। ଏହା ପିପିଲି ଡେଲାଙ୍ଗର ବିକାଶକୁ ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

‘‘ମୁଁ ସବୁବେଳେ ଗାଁର ବିକାଶ ଉପରେ ଫୋକସ୍‌ କରିଆସିଛି। ମହିଳା, ଚାଷୀ ଭାଇ ବିକାଶ ଉପରେ ଗୁରୁତ୍ୱ ଦେଇଛି। ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି।  ସାଧାରଣ ଲୋକଙ୍କୁ ତାଙ୍କର ହକ୍‌ ଦେବା ପାଇଁ ମୁଁ କାର୍ଯ୍ୟ କରୁଛି ଓ କରିବି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କୁ ପ୍ରଶଂସା କରିବା ସହିତ ରାଜ୍ୟର ଚାଷୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ। ମହାରଥୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅନ୍ୟପଟେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟପରେ ସେହି ଆସନ ଖାଲି ରହିଛି। ଏହି ଆସନ ପାଇଁ ଆଗକୁ ଉପ ନିର୍ବାଚନ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ତେଣୁ ଭୋଟକୁ ଦୃଷ୍ଟିରେ ରଖି ପିପିଲିକୁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comment